ଆସାମ ଓ ପଶ୍ଚିମବଙ୍ଗରେ ଜମିଲା ନିର୍ବାଚନୀ ପ୍ରଚାର । ମମତାଙ୍କୁ ଟାର୍ଗେଟ କରି ଶାହା କହିଲେ, ସ୍କାମ ପାଇଁ ଟିଏମସି ଓ ସ୍କିମ ପାଇଁ ବିଜେପିକୁ ଦିଅ ଭୋଟ ।

126

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖମନ୍ତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଲଢେଇ ହେଉଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହ, ରାଜନାଥ ସିଂ, ଜେପି ନଡ୍ଡା ଓ ଯୋଗୀ ପରି ଶୀର୍ଷ ନେତୃତ୍ୱ ନିର୍ବାଚନୀ ମଇଦାନକୁ ଓହ୍ଳାଇଛନ୍ତି । ସେପଟେ ବିଜେପି ଉପରେ ଆକ୍ରମଣାତ୍ମକ ଅଭିମୁଖ୍ୟ ଗ୍ରହଣ କରି ଭୋଟ ହାତେଇବାକୁ ଲାଗି ପଡିଛନ୍ତି ମମତା ବାନାର୍ଜି ।

ବିକାଶ ପ୍ରସଙ୍ଗରେ ବାରମ୍ବାର ଟିଏମସିକୁ ଟାର୍ଗେଟ କରିଥିଲେ ମୋଦୀ । କହିଥିଲେ ପରିବର୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା । ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଛନ୍ତି ଦିଦି । ଏହି ଲଢେଇ ସରକାର ପରିବର୍ତନ ପାଇଁ ନୁହେଁ ପଶ୍ଚିମବଙ୍ଗର ବିକାଶ ପାଇଁ ଲଢେଇ । ମୋଦୀ ପଶ୍ଚିମବଙ୍ଗର ବିକାଶ କଥା କହୁଥିବାବେଳେ କଟାକ୍ଷ କରିଥିଲେ ମମତା । କଲିକତା ଆସି ଯେଉଁ ପରିବର୍ତନ କଥା କହୁଛନ୍ତି, ତାହା ହେବ, ହେଲେ ପରିବର୍ତନ ପଶ୍ଚିମବଙ୍ଗରେ ନୁହେଁ ଦିଲ୍ଲୀରେ ହେବ । ସେହିପରି ଆଗକୁ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନରେ ବିଜେପି ହାରିବ ବୋଲି ଦୃଢୋକ୍ତି କରିଥିଲେ ମମତା ।

ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ବିଜେପି ଓ ତୃଣମୂଳ କଂଗ୍ରେସ ନିଜ ନିଜ ସବୁ ବଳ ଲଗାଇ ଦେଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପରସ୍ପର ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜନେତା । ଶନିବାର ଦିନ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡିବ । ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ୧୯୧ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେହିପରି ଆସାମରେ ୪୭ଟି ଆସନ ପାଇଁ ଅଛନ୍ତି ୨୬୭ଜଣ ପ୍ରାର୍ଥୀ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନିଜ ଦବଦବା ବନାଇ ରଖିବାକୁ ପ୍ରାଣପ୍ରଣେ ଚେଷ୍ଟା ଚଳାଇଛି । ଅପରପକ୍ଷରେ ଆସାମରେ ନିଜ ସରକାର ବଜାୟ ରଖିବା ବିଜେପି ପାଇଁ ଚ୍ୟାଲେଂଜ ହୋଇଛି ।

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ହୋଇଛି ଶେଷ ଦିନ ପ୍ରଚାର । ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟ ପଡିବା ପୂର୍ବରୁ ଭୋଟ ହାତେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି ରାଜନୈତିକ ଦଳ ।