ପରୀକ୍ଷା ପୂର୍ବରୁ ହଜିଲା ନିଦ । ଦିନରାତି ଏକ କରି ଶେଷ ପର୍ଯ୍ୟାୟରେ ପ୍ରଚାର କଲେ ପ୍ରାର୍ଥୀ, ଦିନକ ପରେ ମତଦାନ ।

101

କନକ ବ୍ୟୁରୋ: ଦିନକ ପରେ ପ୍ରଥମ ପର୍ଯ୍ୟାୟ ମତଦାନ । ପରୀକ୍ଷା ପୂର୍ବରୁ ଶେଷ ପ୍ରସ୍ତୁତି କରୁଛନ୍ତି ପ୍ରାର୍ଥୀ । ଜନତା ଜନାର୍ଦ୍ଦନଙ୍କୁ ପ୍ରଚାର ଜରିଆରେ ମନାଇବା ପାଇଁ ଶେଷ ବାଜି ଖେଳିଛନ୍ତି ପରୀକ୍ଷାର୍ଥୀ ବା ପ୍ରାର୍ଥୀ । ଆସନ୍ତା ୧୧ ତାରିଖରେ ୪ଟି ଲୋକସଭା ଆସନ ସହ ସେଥିମଧ୍ୟରେ ଆସୁଥିବା ୨୮ଟି ବିଧାନସଭା କ୍ଷେତ୍ରରେ ନେତା ବାଛିବେ ଭୋଟର । ତେଣୁ ପ୍ରଥମ ପେପର ପାଇଁ ପ୍ରାର୍ଥୀମାନେ ଦିନ ରାତି ଏକ କରି ଘମାସାନ୍ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ହେଲେ କିଏ ପ୍ରକୃତରେ ଜନତାଙ୍କ ହୃଦୟ କିଏ ଜିଣିପାରିବ ତାହା ଆସନ୍ତା ମେ’ ୨୩ ଫଳାଫଳ ହିଁ ବୟାନ କରିବ ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଶେଷ ପ୍ରସ୍ତୁତି । ଟିକେଟ୍ ମିଳିବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ସ୍ଥାନୀୟ ସଂସଦୀୟ କ୍ଷେତ୍ର ସହ ବିଧାନସଭା ଆସନ ପାଇଁ ପ୍ରଚାର କରିଆସୁଛନ୍ତି । ହେଲେ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ମତଦାନର ଗୋଟିଏ ଦିନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ପ୍ରଚାର କରିବାର ଶେଷ ସୁଯୋଗ ମିଳିବ । ତେଣୁ ଆଜି ୪ଟି ଲୋକସଭା କ୍ଷେତ୍ରର ୨୮ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି ।

ଚଳିତ ନିର୍ବାଚନ ଅଧିକ ରୋମାଞ୍ଚ ଭରା ଓ ଐତିହାସିକ ହେବ ବୋଲି ବିଭିନ୍ନ ଶିବିରରେ ବାରମ୍ବାର ଦାବି ଉଠୁଛି । ଏପରିକି ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳଡ଼ିଆଁ ପର୍ବ ରାଜ୍ୟ ରାଜନୀତିକୁ ଉଷ୍ମ କରିଥିଲା । କିଏ ଟିକେଟ୍ ପାଇଁ ଦଳ ଛାଡୁଥିଲା ତ ଆଉ କିଏ ଟିକେଟ୍ ନପାଇ ଦଳ ଛାଡୁଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଗସିପ୍ ଚାଲୁଥିଲା । ହେଲେ ବର୍ତ୍ତମାନ ୪ଟି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । କାରଣ ଦିନକ ପରେ ଭୋଟକେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିବେ ଭୋଟର ।