ବିଶ୍ୱର ପ୍ରଥମ କରୋନା ଟିକା ନେଲେ ବ୍ରିଟେନର ଆଈ ମାଆ । ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପରେ ୯୦ ବର୍ଷର ମହିଳାଙ୍କ ହେଲା ଟିକାକରଣ 

84

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ଫାଇଜର କଂପାନୀର ଟିକାକୁ ବ୍ରିଟେନ ଅନୁମତି ଦେବା ପରେ ଏହାର ସାମୂହିକ ଟିକାକରଣ ଆରମ୍ଭ ହୋଇଛି । ଆଉ ଏହାର ପ୍ରଥମ ଡୋଜ୍ ଦିଆଯାଇଛି ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କୁ ।

ସପ୍ତାହକ ପରେ ମାର୍ଗାରେଟ୍ ନିଜର ୯୧ ତମ ଜନ୍ମଦିନ ପାଳନ କରିବେ । ତାହା ପୂର୍ବରୁ ତାଙ୍କୁ ଫାଇଜର କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।  କେନ୍ଦ୍ରୀୟ ଇଂଲଣ୍ଡର କୋଭିନ୍ଟ୍ରି ସ୍ଥିତ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ଏହି ଟିକା । ସ୍ଥାନୀୟ ସମୟ ସକାଳ ୬ଟା ୩୧ମିନିଟ୍ରେ ମାର୍ଗାରେଟ୍ କିନାନ୍ଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଟିକା ନେବା ପରେ ମହିଳା ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଥମ ଟିକା ନେବା ମୋ ପାଇଁ ଗୌରବର ବିଷୟ । ଜନ୍ମଦିନ ପୂର୍ବରୁ ଏହା ମୋ ପାଇଁ ସବୁଠାରୁ ବଡ ଉପହାର । ମୁଁ  ଏବେ ସୁସ୍ଥ ରହିବା ସହ ନୂଆ ବର୍ଷରେ ମୋ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଅପେକ୍ଷା କରିପାରିବି ।

ମାର୍ଗାରେଟ୍ କିନାନ୍ଙ୍କୁ ଟିକା ଦେବା ପରେ ସାରା ବିଶ୍ୱରୁ ଏହି ବୟସ୍କା ମହିଳାଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କୁ ସମସ୍ତେ ବୁଢୀ ମାଆ ଭାବେ ସମ୍ବୋଧନ କରୁଥିବା ଦେଖିବାକୁ ମିଳିଛି ।

ଫାଇଜର ଓ ବାୟୋଏନ୍ଟେକ୍  ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍ ଟିକାର ପରୀକ୍ଷଣ ଶେଷ ହେବା ପରେ ବ୍ରିଟେନ୍ରେ ଆରମ୍ଭ ହୋଇଛି । ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ଏହି ଅଭିଯାନ ଆରମ୍ଭ କରିଛି ବ୍ରିଟେନ୍ । ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ବର୍ତମାନ ଯାଏଁ ଏହି ମାରାତ୍ମର ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।  ଅନ୍ୟପଟେ ଫାଇଜର ଟିକାର ସଂରକ୍ଷଣ ଓ ପରିବହନ ନେଇ କେତେକ ସମସ୍ୟା ଥିଲେ ମଧ୍ୟ ଏହା ନୂଆ ଆଶା ସଂଚାର କରିଛି ।