ଦିଲ୍ଲୀକୁ ଡେଇଁଲା ଓମିକ୍ରନ । ତାଞ୍ଜାନିଆରୁ ଫେରିଥିବା ଯୁବକଙ୍କ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ।

157

କନକ ବ୍ୟୁରୋ : ଦେଶର ରାଜଧାନୀରେ ଦିଲ୍ଲୀକୁ ଡେଇଁଲା ଓମିକ୍ରନ । ଦିଲ୍ଲୀରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସ୍ପଷ୍ଟ କରିଛନ୍ତି । ଉକ୍ତ ଆକ୍ରାନ୍ତ ଜଣକ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସତ୍ୟେନ୍ଦ୍ର ଜୈନ କହିଛନ୍ତି, ବିଦେଶରୁ ଆସିଥିବା ୧୨ ଜଣ ସନ୍ଦିଗ୍ଧଙ୍କ ସଂକ୍ରମିତଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସାମାନ୍ୟ କରୋନା ହୋଇଥିବା ବେଳେ ଜଣଙ୍କ ଠାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ସଂକ୍ରମିତ ଯୁବକ ଜଣ ଆଫ୍ରିକୀୟ ଦେଶ ତାଞ୍ଜାନିଆରୁ ଭାରତ ଆସିଛନ୍ତି । ଏହାଛଡା ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ ଜିନୋମ ସିକ୍ୱେନ୍ସିଂ କରାଯାଇଛି । ଏବେ ସୁଦ୍ଧା ଦେଶରେ ୫ ଜଣ ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ କର୍ଣ୍ଣାଟକରୁ ୨ ଜଣ, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଏବଂ ଦିଲ୍ଲୀରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନା ମୁତାବକ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ , ଚୀନ, ମରିସସ୍, ନ୍ୟୁଜିଲ୍ୟାଣ୍ଡ. ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲକୁ କେନ୍ଦ୍ର ସରକାର ‘ହାଇ ରିସ୍କ’ ତାଲିକା ଅନ୍ତର୍ଭୁକ୍ତ କରିଛନ୍ତି । ଏଠାରୁ ଫେରୁଥିବା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ କରିବା ଜରୁରୀ । ।ଟେଷ୍ଟର ରିପୋର୍ଟ ଆସିବା ପରେ ହିଁ ଏମାନଙ୍କୁ ବିମାନବନ୍ଦରରୁ ଯିବାକୁ ଅନୁମତି ମିଳିବ । ଏହା ବ୍ୟତୀତ ବାକି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ବିମାନବନ୍ଦରରେ ଯାଞ୍ଚ କରି ଛଡାଯାଉଛି ।