କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ୧୯୪୮ ମସିହାରେ ଓଡ଼ିଶା ପ୍ରଦେଶ ସହ ଗଡ଼ଜାତଗୁଡ଼ିକର ମିଶ୍ରଣ ନେଇ ସାରା ରାଜ୍ୟରେ ରାଜନୈତିକ ଉତ୍ସାହ ଓ ଉତ୍କଣ୍ଠା ଭରିରହିଥିବା ସମୟରେ ନିର୍ମିତ ହେଉଥାଏ ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ । ନୀଳମାଧବଙ୍କୁ ଠାବକରି ତାଙ୍କୁ ପୁରୀ ଆଣିବାର କାହାଣୀ ଉପରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନାୟକ ‘ବିଦ୍ୟାପତି’ ଭୂମିକାରେ ଅଭିନୟ କରୁଥାନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମଝିଆଁ ପୁଅ ଲୋକନାଥ ମିଶ୍ର । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ର ନାୟକ ଭୂମିକାରେ ଥିଲେ ବଙ୍ଗୀୟ ଅଭିନେତା ମାଖନଲାଲ ବାନାର୍ଜୀ । ଏଣୁ ଲୋକନାଥ ହିଁ ଥିଲେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଓଡ଼ିଆ ନାୟକ । ବାପାଙ୍କ ବିୟୋଗ ପରେ ସେ ବି ଲମ୍ଫ ଦେଇଥିଲେ ନିର୍ବାଚନ ରାଜନୀତିକୁ । ବିଧାନସଭା ବା ଲୋକସଭାକୁ ନ ଆସି ସେ ସିଧା ପହଞ୍ଚିଥିଲେ ରାଜ୍ୟସଭାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଢେଙ୍କାନାଳର ରାଜକୁମାର ଶେଷପ୍ରତାପ ସିଂହଦେଓ ଓରଫ ନିନି ସାହେବ ଓ ଗୌରେନ୍ଦ୍ର ପ୍ରତାପ ସିଂହଦେଓ ଓରଫ ଟିକି ସାହେବଙ୍କ ଦ୍ଵାରା ପ୍ରତିଷ୍ଠିତ ‘ଗ୍ରେଟ୍ ଇଷ୍ଟର୍ଣ୍ଣ ମୁଭିଟୋନ୍ ପ୍ରା. ଲିଃ.’ ସଂସ୍ଥା ତରଫରୁ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ର କାହାଣୀ, ସଂଳାପ ଓ ଗୀତ ରଚନା ଦାୟିତ୍ଵରେ ଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ତାଙ୍କରି ପ୍ରରୋଚନାରେ ବିଦ୍ୟାପତି ଭୂମିକାରେ ଅଭିନୟ କରିବା ପାଇଁ ଆଗେଇ ଆସିଥିଲେ ଲୋକନାଥ । ତାଙ୍କ ମନରେ ରାଜନୀତିରେ ଯୋଗଦେବା ପାଇଁ ଆଗ୍ରହ ମଧ୍ୟ ଥିଲା । ୧୯୫୬ରେ ଗୋଦାବରୀଶଙ୍କ ମୃତ୍ୟୁ ପରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ‘ଗଣତନ୍ତ୍ର ପରିଷଦ’ ଦଳରେ ଯୋଗଦେଇଥିଲେ ।
୧୯୫୭ ମସିହା ସାଧାରଣ ନିର୍ବାଚନରେ ଗଣତନ୍ତ୍ର ପରିଷଦ ବିଧାନସଭାର ୧୪୦ ଆସନରୁ ୪୧ଟି ଆସନ ଜିଣିଥିଲା ବେଳେ କଂଗ୍ରେସ ଦଳ ୫୬ଟି ଆସନ ପାଇଥିଲା । କିଛି ସ୍ୱାଧୀନ ସଦସ୍ୟ ଓ ଝାଡ଼ଖଣ୍ଡ ଦଳର ସହାୟତାରେ ଗଠିତ ହରେକୃଷ୍ଣ ମହତାବଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳ ଭାଙ୍ଗିବା ପରେ ୧୯୫୯ ମସିହାରେ କଂଗ୍ରେସ ଓ ଗଣତନ୍ତ୍ର ପରିଷଦର ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଏଥିରେ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓ ଅର୍ଥ, ଶିଳ୍ପ, ଖଣି ଓ ଆଇନ୍ ମନ୍ତ୍ରୀ ପଦରେ ରହିଲେ । ଏହି ସରକାରର କାର୍ଯ୍ୟକାଳ ମଧ୍ୟରେ ୧୯୬୦ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦ ତରଫରୁ ଲୋକନାଥ ମିଶ୍ର ରାଜ୍ୟସଭାକୁ ନିର୍ବାଚିତ ହେଲେ । ତାଙ୍କ ସହ ରାଜ୍ୟସଭାକୁ ଯାଇଥିଲେ ବୈରାଗୀ ଦ୍ଵିବେଦୀ, ବିଶ୍ୱନାଥ ଦାସ ଓ ନନ୍ଦକିଶୋର ଦାସ । ପରେ ୧୯୬୬ ଓ ୧୯୭୨ରେ ସେ ଆଉ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ଦୀର୍ଘ ୧୮ ବର୍ଷ ରାଜ୍ୟସଭାର ସଦସ୍ୟ ରହିଛନ୍ତି । ସୌଭାଗ୍ୟର କଥା ଯେ ସେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ରହିଛନ୍ତି ଏବଂ ଏହି ସମୟ ମଧ୍ୟରେ କିଛିକାଳ ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଦାୟିତ୍ଵ ମଧ୍ୟ ତୁଲାଇଛନ୍ତି ।
ଲୋକନାଥଙ୍କର ଚଳଚ୍ଚିତ୍ର ଅଭିନୟକୁ ବାପା ପଣ୍ଡିତ ଗୋଦାବରୀଶ ପସନ୍ଦ କରୁନଥିଲେ । ଆସାମର ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବା ପରେ ‘ସିନେ ସମ୍ବାଦ’କୁ ଦେଇଥିବା ଏକ ସାକ୍ଷାତକାରରେ ଲୋକନାଥ ମିଶ୍ର ବାପାଙ୍କ ଉକ୍ତିକୁ ମନେପକାଇ କହିଛନ୍ତି- ‘‘ଏ ବାଳୁଙ୍ଗା ହୋଇଗଲା । ତୋତେ କ’ଣ କିଛି କାମ ମିଳୁନାହିଁ ଯେ, ତୁ ନାଚପିଲାଙ୍କ ସହ ଯାଇ ନାଚିବୁ ?’’ ତେବେ ବାରମ୍ବାର ପ୍ରବର୍ତ୍ତାଇବା ପରେ ଗୋଦାବରୀଶ ଥରେ ସୁଟିଂ ଦେଖିବାକୁ କଲିକତା ଯାଇଥିଲେ ଏବଂ ତାଙ୍କର ହୃଦ୍ବୋଧ ହୋଇଥିଲା ଯେ ଚଳଚ୍ଚିତ୍ର ଅଭିନୟ କିଛି ଖରାପ ନୁହଁ । ଲୋକନାଥ ମିଶ୍ର ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କଲାପରେ ସେ ରାସ୍ତାରେ ଆଉ ଆଗକୁ ବଢ଼ିନାହାନ୍ତି । ବୋଧହୁଏ ଏଇଥିପାଇଁ ଯେ, ଜନସେବା ଓ ଭାରତୀୟ ଚିକିତ୍ସାଶାସ୍ତ୍ରରେ ଆଗ୍ରହ ରଖୁଥିବା ‘ଲଳିତା’ର ବିଦ୍ୟାପତିଙ୍କ ପାଇଁ ଶ୍ରୀଜଗନ୍ନାଥ ନିରୂପିତ କରି ରଖିଥିଲେ ରାଜନୀତି ଓ ସମାଜସେବାର ଅନ୍ୟ ଏକ ପ୍ରଶସ୍ତ ପଥ ।