କନକ ବ୍ୟୁରୋ: ବଢିଲା ଟିଏମସି ନେତା ମହୁଆ ମୋଇତ୍ରୋଙ୍କ ଅଡୁଆ । ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ୍ । ଡିସେମ୍ବର ମାସରେ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଏନେଇ ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ପ୍ରଥମେ ତାଙ୍କୁ ଘର ଖାଲି କରିବାକୁ ଗୋଟିଏ ମାସର ସମୟ ଦିଆଯାଇଥିଲା । ଏନେଇ କୋର୍ଟକୁ ଯିବାକୁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏବେ ଯଦି ସେ ସରକାରୀ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରାଯିବ ବୋଲି କୁହାଯାଇଛି ।

ପ୍ରଥମେ ମହୁଆ ମୋଇତ୍ରଙ୍କୁ ଜାନୁଆରୀ ୭ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ ମିଳିଥିଲା । ଆଉ ଏହା ପରେ ତାଙ୍କୁ ୮ ତାରିଖରେ ସମ୍ପଦା ନିର୍ଦ୍ଦେଶାଳୟ ପୁଣି ନୋଟିସ୍ କରିଥିଲା । ତିନି ଦିନ ଭିତରେ ଏହି ନୋଟିସର ଜବାବ ଦେବା ସହିତ, ସେ କାହିଁକି ସରକାରୀ ଆବାସ ଖାଲି କରିନାହାଁନ୍ତି ସେ ନେଇ ପଚରାଯାଇଥିଲା । ଏହାପରେ ଜାନୁଆରୀ ୧୨ ତାରିଖରେ ମୋହୁଆ ମୋଇତ୍ରଙ୍କୁ ତୃତୀୟ ନୋଟିସ୍ ପଠାଯାଇଥିଲା । ଆଉ ଘର ଖାଲି କରିବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ତାଙ୍କୁ ସରକାରୀ ଆବାସରୁ ହଟିବାକୁ ହେବ । ହେଲେ ନୋଟିସ୍ ପରେ ବି ସେ ସରକାରୀ ଆବାସ ଛାଡିନାହାଁନ୍ତି । ନିୟମ ଅନୁସାରେ ଏକ ମାସ ପରେ ସେ ଏହି ଘର ଛାଡିଦେବା ଉଚିତ୍ । ହେଲେ ଯଦି ସେ ସରକାରୀ ଆବାସ ଖାଲି ନକରନ୍ତି, ତେବେ ଜୋର ଜବରଦସ୍ତ ବଙ୍ଗଳାକୁ ଖାଲି କରାଯିବ ବୋଲି ସୂଚନା ମିଳିଛି ।