କନକ ବ୍ୟୁରୋ: ବସ୍ ପରେ ଏବେ ଟ୍ରେନର ପାଳି । କେରଳରୁ ବାହାରିଥିବା ଟ୍ରେନ ରବିବାର ସକାଳ ୭ରେ ରାଜ୍ୟରେ ପହଁଚିବାକୁ ଥିବା ବେଳେ ଶନିବାର ସନ୍ଧ୍ୟାରେ ସୁରଟରୁ ବାହାରିଛି ୨ଟି ଟ୍ରେନ । ୩ଟି ଟ୍ରେନରେ ୫୦୦୦ରୁ ଅଧିକ ଶ୍ରମିକ ଫେରୁଛନ୍ତି ଓଡିଶା । ତୃତୀୟ ଥର ପାଇଁ ଲକ ଡାଉନ ନିୟମ ଲାଗୁ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ସହ ଗୋଟିର ରାଜ୍ୟରୁ ଲୋକଙ୍କୁ ଆଉ ଗୋଟିଏ ରାଜ୍ୟକୁ ପଠାଯାଉଛି ।
ନିୟମ ଅନୁସାରେ ଟ୍ରେନ ଗୁଡିକ ପଏଂଟ ଟୁ ପଏଂଟ ଅର୍ଥାତ୍ ଗୋଟିଏ ସ୍ଥାନରୁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ପହଁଚିବ, ବାଟରେ କେଉଁଠି ଅଟକିବ ନାହିଁ । ଆଉ ରାଜ୍ୟରେ ପହଁଚିବା ପରେ ନିର୍ଦ୍ଧାରିତ ନିୟମ ଅନୁସାରେ ସେମାନଙ୍କୁ ନିଆଯିବ ସଂଗରୋଧ ସେଂଟରକୁ ।
ଶୃଙ୍ଖଳିତ ଆଉ ବ୍ୟବସ୍ଥିତ ଢଙ୍ଗରେ ଶ୍ରମିକ ଫେରୁଥିବା ନେଇ ସରକାରୀ ସ୍ତରରେ କୁହାଯାଉଥିବା ବେଳେ ବାସ୍ତବତାରେ ଦେଖାଦେଉଥିବା କିଛି ଚିତ୍ର ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ଶ୍ରୀକାକୁଲମର ଏକ ସ୍କୁଲରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ୫ଶହରୁ ଅଧିକ ଶ୍ରମିକଙ୍କୁ ରଖାଯାଇଛି । ଯେଉଁଥିରେ ଅଛନ୍ତି ଓଡିଶାର ୧୩ଟି ଜିଲ୍ଲାର ୨୦୪ ଜଣ । ଭାଇଜାଗରୁ ଆସିଥିବା ଏହି ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇବା ପରେ ସଙ୍ଗରୋଧରେ ରଖାଯାଇଥିଲା । ୧୪ ଦିନର କ୍ୱାରେନଟାଇନ ଅବଧି ସରିବା ପରେ ମଧ୍ୟ ସେମାନେ କଣ କରିବେ, ତାର ସ୍ପଷ୍ଟ ତଥ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି ।
ସେହିଭଳି ସୁରାଟରୁ ୭ଟି ବସରେ ଆସୁଥିବା ଶ୍ରମିକଙ୍କୁ ଗୁଜୁରାଟ ବାଦଲି ସୀମାରେ ପ୍ରଥମେ ଅଟକାଇ ଦିଆଯାଇଥିଲା । ଆବଶ୍ୟକୀୟ ପାସ୍ ନଥିବାରୁ ଏସବୁ ବସ୍କୁ ଅଟକାଗଲା ଆଉ ପରେ ଛାଡି ଦିଆଯାଇଥିବା ସୂଚନା ମିଳିଛି । ୩୫୦୦ ଟଙ୍କା ଲେଖାଏଁ ଦେଇ ଆସିଥିବା ଏହି ଲୋକ ବେଶ କିଛି ଘଂଟା ଘାଂଟି ହୋଇଥିଲେ, ଯେଉଁଥିରେ ୪ ଜଣ ଗର୍ଭବତୀ ମଧ୍ୟ ଥିଲେ ।
ଖାଲି ଏହି ଦୁଇଟି ଘଟଣା ନୁହେଁ, ବିଭିନ୍ନ ପ୍ରାନ୍ତରୁ ବିବଶ ହୋଇ ଫୋନ କରୁଥିବା ପ୍ରତି ଲୋକ ମନରେ ଗୋଟିଏ ପ୍ରଶ୍ନ ରହିଛି, କିଭଳି ସୁରକ୍ଷିତ ଢଙ୍ଗରେ ରାଜ୍ୟକୁ ଫେରିବେ । ସରକାରୀ ସ୍ତରରେ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ମଡେଲ ବୋଲି କୁହାଯାଉଥିବା ବେଳ ରାଜ୍ୟ-ରାଜ୍ୟ କିମ୍ବା ଜିଲ୍ଲା-ଜିଲ୍ଲା ମଧ୍ୟରେ କିଛିଟା ସମନ୍ୱୟର ଅଭାବ ବଡ ସମସ୍ୟା ତିଆରି କରିଛି ।