ଆମେରିକାରୁ ଆସିବ ମୋଦିଙ୍କ ସୁରକ୍ଷାକବଚ । ଆକାଶପଥରେ ମିସାଇଲ ଆକ୍ରମଣକୁ କରିପାରିବ ପ୍ରତିହତ, ଟ୍ରମ୍ପଙ୍କ ଏୟାରଫୋର୍ସ ୱାନ୍ ଢାଞ୍ଚାରେ ନିର୍ମିତ ଏୟାର ଇଣ୍ଡିଆ-୧ । ଜାଣନ୍ତୁ ଏହି ବିମାନରେ କଣ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା ।

1,011

ଆମେରିକାରୁ ଭାରତ ଆସିବ ଏୟାର ଇଣ୍ଡିଆ ୱାନ୍ । ଭିଭିଆଇପି ସୁରକ୍ଷା ପାଇଁ ଖୁବଶୀଘ୍ର ଭାରତକୁ ଆସିବ ୧୨୦୦ କୋଟି ଟଙ୍କାର ଏୟାର ଇଣ୍ଡିଆ-ୱାନ୍ ବିମାନ । ଖାସକରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ବିଦେଶ ଗସ୍ତ ସମୟରେ ଏହି ବିମାନର ବ୍ୟବହାର କରାଯିବ । ଯାହାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ଆମେରିକା ଆକାଶରେ ଏହି ବୋଇଂ ୭୭୭-୩୦୦ ଇଆର ବିମାନ ଉଡୁଥିବାର ଫଟୋ ଦେଖିବାକୁ ମିଳିଛି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତକୁ ଏହିଭଳି ୨ଟି ବିମାନ ଯୋଗାଇଦେବ ଆମେରିକା । ଏହି ଅତ୍ୟାଧୁନିକ ବିମାନରେ ଏଭଳି କିଛି ଉପକରଣ ବ୍ୟବହାର କରାଯାଇଛି ଯାହାଦ୍ୱାରା ଆକାଶପଥରେ ଯେକୌଣସି କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିପାରିବ ଏୟାର ଇଣ୍ଡିଆ ୱାନ୍ ।

ଏୟାର-ଇଣ୍ଡିଆ ୱାନ୍ ବିମାନଟି ପୂରା ଧଳାରଙ୍ଗର ହୋଇଥିବା ବେଳେ ଏହାର ପଛ ପାଶ୍ୱର୍ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଚିତ୍ର ରହିଛି । ଏହାର ଉଭୟ ପାଶ୍ୱର୍ରେ ଇଂରାଜୀରେ ଇଣ୍ଡିଆ ଲେଖାଯାଇଥିବା ବେଳେ ହିନ୍ଦୀରେ ଭାରତ ଲେଖାଯାଇଛି । ଆମେରିକୀୟ କମ୍ପାନି ଦ୍ୱାରା ଏହି ବିମାନ ନିର୍ମାଣ କରାଯାଇଥିବା ବେଳେ ପାଖାପାଖି ୧୨୦୦ କୋଟି ଟଙ୍କା ଦେଇ ଏହାକୁ କିଣିଛି ଭାରତ । ଏହି ବିମାନଟି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏୟାରଫୋର୍ସ ୱାନ ଭଳି ଢାଞ୍ଚାରେ ନିର୍ମିତ କରାଯାଇଛି । ଯାହା ଆକାଶପଥରେ ସମ୍ପୂର୍ଣ୍ଣ ଅଭେଦ୍ୟ ରହିବ । ଆକାଶପଥରେ ଯେକୌଣସି ଆକ୍ରମଣର ମୁକାବିଲା କରିବାରେ ସକ୍ଷମ ଏୟାର ଇଣ୍ଡିଆ ୱାନ୍ ।

ଏୟାର ଇଣ୍ଡିଆ ୱାନରେ ଅଫିସ ରୁମ୍, ମିଟିଂ ରୁମ ସହ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ କମ୍ୟୁନିକେସନ ବ୍ୟବସ୍ଥା ରହିଛି । ଜରୁରୀକାଳୀନ ମେଡିକାଲ ସେବା ପାଇଁ ବିମାନ ଭିତରେ ଦୁଇଟି ଭିନ୍ନ ଭିନ୍ନ ସେକ୍ସନ ରହିଛି । ଭିଭିଆଇପିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ, ଆତ୍ମରକ୍ଷା କୋଠରୀ ମଧ୍ୟ ରହିଛି । ସବୁଠୁ ବଡ କଥା ହେଲା, ଥରେ ଇନ୍ଧନ ଭରିଲେ ଏୟାର ଇଣ୍ଡିଆ ୱାନ୍ ଆମେରିକାରୁ ଭାରତ ପର୍ଯ୍ୟନ୍ତ ଉଡିପାରିବ ।

ଏବେ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବିଦେଶ ଯାତ୍ରା ପାଇଁ ବୋଇଙ୍ଗ ୭୪୭ ବିମାନ ବ୍ୟବହାର କରାଯାଉଛି । କିନ୍ତୁ ଆଗକୁ ଏୟାର ଇଣ୍ଡିଆ ୱାନରେ ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଏହି ବିମାନକୁ ବାୟୁସେନାର ପାଇଲଟ ମାନେ ଉଡାଇବେ ।