ନିଜ ରେକର୍ଡ ନିଜେ ଭାଙ୍ଗିବେ ମୋଦି! ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ନେତା ଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି ।

276

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।  ରାଷ୍ଟ୍ରପତି ଭବନରେ ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ନମୋ । ଆଉ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି ମୋଦି । ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ନରେନ୍ଦ୍ର ମୋଦି ସ୍ୱାଧୀନ ଭାରତରେ ଜନ୍ମ ନେଇଥିବା ପ୍ରଥମ ନେତା ପାଲଟିଥିଲେ । ଆଉ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇ ନିଜ ନାଁରେ ଥିବା ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ମୋଦି ।

ଏହାପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ନେତା ଦେଶ ସ୍ୱାଧୀନ ହେବା ପୂର୍ବରୁ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଶପଥ ନେଇଥିବା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ନରେନ୍ଦ୍ର ମୋଦି ଜଣେ ମାତ୍ର ନେତା ଭାବେ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛନ୍ତି । ୧୯୫୦ ସେପ୍ଟେମ୍ବର ୧୭ରେ ନରେନ୍ଦ୍ର ମୋଦି ଗୁଜୁରାଟର ବଡନଗରରେ ଜନ୍ମଗ୍ରହଣ କରିଥିଲେ । ଆଠ ବର୍ଷ ବୟସରୁ ହିଁ ଆରଏସଏସରେ ଯୋଗ ଦେଇଥିଲେ ମୋଦି । ତେବେ ୧୯୮୭ରେ ବିଜେପିରେ ଯୋଗ ଦେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।

ତେବେ ୨୦୦୧ରେ ବିଜେପିର ନୂଆ ଚେହେରା ଭାବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ନରେନ୍ଦ୍ର ମୋଦି । ଆଉ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଚାରିଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମୋଦି ।  ତେବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନିଜ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ମୋଦି । ୨୦୧୪ରେ ଏକାକୀ ବହୁମତ ହାସଲ କରି ମୋଦି ସରକାର ଗଢିଥିବା ବେଳେ ୨୦୧୯ରେ ମଧ୍ୟ ଏହାର ରିପିଟ ଦେଖିବାକୁ ମିଳିଛି ।