ଆଇଆଇଟି-ଆଇଆରଏସ୍ ଓ ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ । ଲଗାତାର ତୃତୀୟଥର ପାଇଁ ଦିଲ୍ଲୀ ଦଖଲ କରିବାକୁ ଯାଉଥିବା କେଜ୍ରିୱାଲଙ୍କ ପଲିଟିକାଲ୍ କ୍ୟାରିୟରର କିଛି ଅଜଣା କଥା…

321

କନକ ବ୍ୟୁରୋ: ଟ୍ରେଣ୍ଡ ମୁତାବକ, କ୍ରମାଗତ ୩ଥର ପାଇଁ ଦିଲ୍ଲୀର କମାଣ ଧରିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ପଲିଟିକାଲ କ୍ୟାରିୟର ବେଶ୍ ରୋଚକମୟ । ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଚାକିରି ଛାଡ଼ି ସମାଜସେବା ଲକ୍ଷ୍ୟ ରଖି କେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଯିବେ ତାହା ରାଜନୀତି ଇତିହାସରେ ଏକ ବିଶ୍ମୟ ଘଟଣା । ଆନ୍ନା ହଜାରେଙ୍କ ସହ ଲୋକପାଳ ବିଲ ଆଗତ ପାଇଁ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚାର ପରିସରକୁ ଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ କ୍ୟାରିୟର ପ୍ରଥମ ସୋପାନ ତିଆରି କରିଥିଲା । ଆଉ ଏହା ପରଠୁ କେଜ୍ରିୱାଲଙ୍କ ପଲିଟିକାଲ କୁଣ୍ଡଳୀ ଖୋଲିବାରେ ଲାଗିଲା ।

ହରିୟାଣାର ହିସସାର ଜିଲ୍ଲାରେ ଜନ୍ମିତ ଅରବିନ୍ଦ କେଜ୍ରିୱାଲ ଜଣେ ମେଧାବୀ ଛାତ୍ର ଥିଲେ । ଆଇଆଇଟି ଖଡଗପୁରରୁ ମେକାନିକାଲ ଇଂଜିନିୟରିଂରେ ବି-ଟେକ ଡିଗ୍ରୀ ହାସଲ କରିଛନ୍ତି କେଜ୍ରିୱାଲ । ଏହାପରେ ଇଣ୍ଡିଆନ ରେଭେନ୍ୟୁ ସର୍ଭିସରେ ସାମିଲ ହୋଇ ଆୟକର ବିଭାଗରେ ଜଏଣ୍ଟ କମିଶନର ଭାବେ ମଧ୍ୟ କାମ କରିଛନ୍ତି । ସମାଜସେବା ପ୍ରତି ସବୁବେଳେ ଆଗ୍ରହ ଥିବାରୁ ‘ପରିବର୍ତନ’ ନାମରେ ଏକ ଏନଜିଓ ଗଠନ କରି ଦିଲ୍ଲୀବାସୀଙ୍କ ସମସ୍ୟା ସମାଧାନ ଦିଗରେ କାମ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଯେଉଁଥିପାଇଁ ତାଙ୍କୁ ମେକ୍ସାସି ସମ୍ମାନରେ ସମ୍ମାନୀତ ମଧ୍ୟ କରାଯାଇଛି ।

ସରକାରୀ ଚାକିରୀ ଭଲ ନଲାଗିବାରୁ ଚାକିରୀ ଛାଡି ସମ୍ପୂର୍ଣ୍ଣ ଭାବେ ସମାଜସେବା ଆରମ୍ଭ କରିଦେଇଥିଲେ କେଜ୍ରିୱାଲ । କିନ୍ତୁ କେଜ୍ରିୱାଲ ସେତେବେଳେ ଲାଇମ ଲାଇଟକୁ ଆସିଲେ, ଯେତେବେଳେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେଙ୍କ ସହ ମିଶି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇଲେ । ଏହାପରେ ଲୋକସେବା ପାଇଁ କିଛି ଅଧିକ କରିବାର ନିଶା ନେଇ ରାଜନୈତିକ ଦଳରେ ସାମିଲ ହେବାକୁ ଚିନ୍ତା କଲେ ଅରବିନ୍ଦ କେଜ୍ରିୱାଲ । ହେଲେ ଲୋକପାଳ ପାଇଁ କୌଣସି ରାଜନୈତିକ ଦଳ ସହ ଜଡିତ ରହିବେ ନାହିଁ ବୋଲି କହି ଅରବିନ୍ଦ କେଜ୍ରିୱାଲଙ୍କ ହାତ ଛାଡିଦେଲେ ଆନ୍ନା ହଜାରେ । ଏହାସହ ଅରବିନ୍ଦଙ୍କ ସାଥ ନଦେବା ପାଇଁ ‘ଇଣ୍ଡିଆ ଏଗନେଷ୍ଟ କରପସନ୍’ ଆନ୍ଦୋଳନରେ ଜଡିତ ଥିବା ସବୁ କର୍ମକର୍ତ୍ତାଙ୍କୁ ମଧ୍ୟ କହିଲେ ଆନ୍ନା ହଜାରେ । ଆଉ ଏହାପରେ ରାଜନୀତିରେ ପାଦ ଥାପିଲେ କେଜ୍ରିୱାଲ ।

୨୦୧୨ରେ ‘ଆମ ଆଦମି ପାର୍ଟି’ ନାମରେ ନିଜର ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କଲେ ଅରବିନ୍ଦ କେଜ୍ରିୱାଲ । ତାଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ ପ୍ରମୁଖ ଦଳ ଭାବେ ମୁଣ୍ଡ ଟେକିଲା । କଂଗ୍ରେସ ସହ ମିଶି ପ୍ରଥମେ ୪୯ ଦିନର ସରକାର ଚଳାଇଲେ । ପରେ ଇସ୍ତଫା ଦେଲେ କେଜ୍ରିିୱାଲ । ଏହାର ୧ ବର୍ଷ ପରେ ପୁଣିଥରେ ଦିଲ୍ଲୀରେ ନିର୍ବାଚନ ହେଲା । ଆଉ ଏଥର ୭୦ଟି ଆସନରୁ ୬୭ଟି ଆସନ ଅକ୍ତିଆର କରି ରେକର୍ଡ ସୃଷ୍ଟି କଲା କେଜ୍ରିୱାଲଙ୍କ ଆମ ଆଦମି ପାର୍ଟି । ଆଉ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ଅରବିନ୍ଦ କେଜ୍ରିୱାଲ ।

ଯେତେବେଳେ ସାରା ଦେଶରେ ମୋଦି ମ୍ୟାଜିକ ଚାଲୁଥିବେବେଳ ଦିଲ୍ଲୀରେ କିନ୍ତୁ ଏହି ମ୍ୟାଜିକକୁ ପ୍ରତିହତ କରି ପତିଆରା ଜାହିର କରିଥିଲେ କେଜ୍ରିୱାଲ । ସାଜିଥିଲେ ସମ୍ରାଟ, ଆଉ ଦଖଲ କରିଥିଲେ ଦିଲ୍ଲୀ । ସେବେଠାରୁ ଦିଲ୍ଲୀରେ ଜାରି ରହିଛି କେଜ୍ରିୱାଲ ରାଜ । ଦିଲ୍ଲୀବାସୀଙ୍କ ପାଇଁ ନେଇଥିବା ବଡ ସଂସ୍କାରମୂଳକ ପଦକ୍ଷେପ ହେଉ କିମ୍ବା ପ୍ରଶାସନରେ ସ୍ୱାଧୀନତା ପାଇଁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଆସିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ସେପଟେ ପୁଣିଥରେ ଦିଲ୍ଲୀ ଦଖଲ କରିବାକୁ ଯାଉଛନ୍ତି କେଜ୍ରିୱାଲ ବୋଲି ଟ୍ରେଣ୍ଡ କହୁଛି । ଏପରିକି ବିଜେପିକୁ ପୁଣି ଦିଲ୍ଲୀ ଦଖଲ କରିବାର ସ୍ୱପ୍ନକୁ ଭାଙ୍ଗି ପଦ୍ମକୁ ବନବାସ ପଠାଇପାରେ ଆପ୍ । କେବଳ ଏତିକି ନୁହେଁ ଦିଲ୍ଲୀ କଂଗ୍ରେସ ହାତ ଛାଡ଼ିବା ପରଠୁ ଯେଉଁଭଳି ଭାବେ ଦିଲ୍ଲୀର କମାଣ ସମ୍ଭାଳିଛନ୍ତି କେଜ୍ରିୱାଲ ତାହା ତାଙ୍କର ରାଜନୈତିକ ଗୋଟିଚାଳନାର ପରିଚୟ ଦେଉଛି । ଜଣେ ଆଇଆଇଟି-ଆଇଆରଏସ୍ ଓ ପରେ ଆନ୍ଦୋଳନରୁ ମୁଖ୍ୟମନ୍ତ୍ରୀ ବନିବା ମୋଦି-ଶାହାଙ୍କ ମ୍ୟାଜିକ୍ କୁ ଫିକା ପକାଇଦେବା ଏକ ବିପ୍ଳବ ସଦୃଶ ବୋଲି କହୁଛନ୍ତି ରାଜନୀତି ବିଶେଷଜ୍ଞ ।