କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ନୂଆ ଠିକଣା ପାଲଟିଛି କଣ୍ଟାବାଞ୍ଜି ଜେଲ୍ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ । ଏହାପରେ ଗୋବିନ୍ଦ ସାହୁଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ।
ମମିତା ମୃତ୍ୟୁ ମାମଲାରେ ସନ୍ଦେହରେ ପୋଲିସ । ଖସିବା, ଧରିବା ଆଉ ପର୍ଦ୍ଦାଫାସ ଯାଏଁ... । ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ପ୍ରଶ୍ନ ଘେରକୁ ଆସିଛି । କାରଣ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ପୁଲିସ ଯେଉଁସବୁ ଦଫା ଲଗାଇଛି, ତାହା ସନ୍ଦେହକୁ ବଢାଇ ଦେଇଛି । ଗୋବିନ୍ଦ ବିରୋଧରେ ଲାଗିଥିବା ଦଫା ସ୍ପଷ୍ଟ କରୁଛି, କେବଳ ମମିତା ମୃତ୍ୟୁର ଯାଞ୍ଚ ଛଡା ଚର୍ଚ୍ଚାରେ ଥିବା ଅନ୍ୟ ଦିଗକୁ ପୁଲିସ ଯୋଜନାବଦ୍ଧ ତରିକାରେ ଟାଳି ଦେବାକୁ ବସିଛି ।
ଆଇପିସି ୩୬୬ - ମହିଳାଙ୍କୁ ଅପହରଣ ପାଇଁ -୧୦ ବର୍ଷ ଯାଏଁ କାରାଦଣ୍ଡ
ଆଇପିସି ୩୦୨ - ହତ୍ୟା କରିବା - ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶ
ଆଇପିସି-୨୦୧ - ପ୍ରମାଣ ନଷ୍ଟ କରିବା - ୭ବର୍ଷ କାରାଦଣ୍ଡ
ଆଇପିସି ୧୨୦ବି- ଅପରାଧିକ ଷଡଯନ୍ତ୍ର - ୨ ବର୍ଷରୁ ଅଧିକ ଜେଲଦଣ୍ଡ
ମନ୍ତ୍ରୀଙ୍କ ସହ ଗୋବିନ୍ଦଙ୍କ ସମ୍ପର୍କ, ସେକ୍ସ ରାକେଟ ଚାଲିବା ଅଭିଯୋଗ, ଅହେତୁକ ଉପାୟରେ କଲେଜକୁ ଅନୁକମ୍ପା ଦେବା, ଫେରାର ହେବା ପରେ ଗୋବିନ୍ଦ କାହାକୁ ଫୋନ କରିବା...ଏସବୁ ଦିଗ ଆଡକୁ ପୁଲିସର ନଜର ଯାଉନି ନା ଯିବାକୁ ଦିଆଯାଉ ନାହିଁ । ତେଣୁ ପ୍ରଶ୍ନ ଉଠୁଛି, ମମିତା ପରିବାରକୁ ନ୍ୟାୟ ଦେବାରେ ପୁଲିସ ସଫଳ ହେବ ତ ?
ପୁଲିସ ମମିତା ମୃତ୍ୟୁ ପଛର କାରଣ ଉପରେ କାହିଁକି ଖୋଳତାଡ କରୁନାହିଁ । ପୁଲିସ ଚାପରେ ଆସି ସ୍ୱାଧୀନ ଭାବେ କାମ କରିପାରୁ ନାହିଁ କି ? ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ...
ମହାଲିଙ୍ଗ କଲେଜରେ ଚାଲିଥିବା ଯୌନ ବ୍ୟାଭିଚାର ଅଭିଯୋଗର ଯାଞ୍ଚ ହେଉନି କାହିଁକି ?
କାହିଁକି ମନ୍ତ୍ରୀଙ୍କ ସଂପୃକ୍ତି ନେଇ କୌଣସି ଖୋଳତାଡ କରାଯାଉ ନାହିଁ ?
ମମିତାଙ୍କୁ ହତ୍ୟା କରିବାରେ ଗୋବିନ୍ଦଙ୍କୁ ଆଉ କିଏ ସହାୟତା କରିଥିଲେ ?
ବଡ କଥା ହେଉଛି, ଗୋବିନ୍ଦ ଧରା ପଡି ୪ ଦିନ ପୁଲିସ ବାରାକରେ ଥିଲେ ବି ଗୋଟିଏ ଶଦ୍ଦ ବି ମୁହଁରୁ ବାହାର କରିନଥିଲା । ହେଲେ ପ୍ରଥମେ ଫେରାର ହେବା ଓ ଗଣମାଧ୍ୟମରେ ଖବର ଆସିବା ପରେ ୨୪ ଘଣ୍ଟା ମଧ୍ୟରେ ମାମଲାକୁ ଖୋଳତାଡ କରି ପର୍ଦ୍ଦାଫାସ କରିଦେଲା ଜିଲ୍ଲା ପୁଲିସ । ଯାହା ସମସ୍ତଙ୍କ ମନରେ ସନ୍ଦେହ ଜାତ କରିବାକୁ ଯଥେଷ୍ଟ ଯେ, ପୁଲିସ କ’ଣ ସବୁ ଜାଣିଶୁଣି ଚୁପ୍ ରହିଥିଲା ? ନା ଗୋବିନ୍ଦର ମୁହଁ ଖୋଲିବାକୁ କୌଣସି ପଦକ୍ଷେପ ନେଇନଥିଲା ?
ମମିତାଙ୍କ ପରିବାର ନ୍ୟାୟ ପାଇଁ ଦାବି କରିଛନ୍ତି । ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ଠାରୁ ଆରମ୍ଭ କରି ସଠିକ ତଦନ୍ତ ପାଇଁ ଦାବି ଉଠାଇଥିଲେ । ତେଣୁ ମାମଲାରେ ଯେଉଁ ସବୁ ଅସଙ୍ଗତି ସାମ୍ନାକୁ ଆସୁଛି, ତାଉପରେ ପୁଲିସ ନୀରବ ରହିବା ବଦଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଜରୁରୀ ହୋଇପଡୁଛି ।