ଦେଖାଦେଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ । ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ, ଅଯୋଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

202

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭକ୍ତଙ୍କ ଭିତରେ ବଢ଼ୁଛି ଉକ୍ରଣ୍ଠା । କିନ୍ତୁ ଉକ୍ରଣ୍ଠା ଭିତରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ଫଟୋ ସାମ୍ନାକୁ ଆସିଛି । ରାମମନ୍ଦିରରେ ବିରାଜମାନ ରାମଲାଲାଙ୍କ ସ୍ପଷ୍ଟ ଫଟୋ ଗଣମାଧ୍ୟମକୁ ଦିଆଯାଇଛି । ଶ୍ୟାମଳ ରଙ୍ଗର ପ୍ରସ୍ତରରେ ନିର୍ମିତ ହୋଇଛି ରାମଲାଲାଙ୍କ ଏହି ଅଦ୍ଭୁତ ପ୍ରତିମୂର୍ତି । ପୂର୍ବରୁ ରାମଲାଲାଙ୍କ ଏକ ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଫଟୋଚିତ୍ର ସାମ୍ନାକୁ ଆସିବା ପରେ ୧୪୦ କୋଟି ଭାରତୀୟଙ୍କ ଭିତରେ ଏକ ଅଭୁଦପୂର୍ବ ଭକ୍ତି ଜାଗରଣ ହୋଇଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଗତକାଲି ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ୪ ଘଂଟା କାଳ ପୂଜାପାଠ ପରେ ବିଗ୍ରହଙ୍କୁ ସ୍ଥାପନା କରାଯାଇଛି । ଆସନ୍ତାକାଲି ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି ।

ସେପଟେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ୨୨ ତାରିଖରେ ହେବାକୁଥିବା ଭବ୍ୟ ସମାରୋହ ପାଇଁ କେମିତି ରହିଛି ପ୍ରସ୍ତୁତି, ସେସବୁର ସମୀକ୍ଷା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସେଦିନ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସହ ଭାରତ ଇତିହାସ ଓ ବିଶ୍ୱାସର ପ୍ରତିଷ୍ଠା ହେବ । ଆଜି ଅଯୋଧ୍ୟାରେ ପହଂଚିବା ପରେ ହନୁମାନଗଡି ଯାଇ ହନୁମାନଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ଯୋଗୀ । ଏହା ପରେ ପ୍ରତିଷ୍ଠା ଉତ୍ସବ ପାଇଁ ହୋଇଥିବା ଟେଂଟସିଟି ପରିଦର୍ଶନ କରିଥିଲେ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମୟ ହୋଇଗଲାଣି ଅଯୋଧ୍ୟା । ଅନେକ ସାଧୁ ସନ୍ଥଙ୍କ ସମାଗମ ହେଲାଣି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ୟୁପି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।