ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ ଆସୁଛି ଟିକା: କଡ଼ା ସୁରକ୍ଷା ମଧ୍ୟରେ ବିମାନ ଓ ଟ୍ରକ ଯୋଗେ ୪୮ ସ୍ଥାନରେ ପହଞ୍ଚାଇବାକୁ ଯୋଜନା

ପ୍ରଥମ ଦଫାରେ ଆସିଲା ୧ କୋଟି ୧୦ ଲକ୍ଷ ଡୋଜ୍

264

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟ୍ର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ, ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ନିୟୋଜିତ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଟିକା ପରିବହନ କରାଯାଉଛି ।

ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ପହଁଚିଥିଲା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପୁଣେ ବିମାନ ବନ୍ଦର ଅଭିମୁଖେ ବାହାରିଛି । ଏଠାରୁ ଏୟାର ଲିଫ୍ଟ କରି ଦେଶର ବିଭିନ୍ନ ଭାଗକୁ ଟିକା ପଠାଯିବ । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍ ।

ଏବେ ନଜର ପକାନ୍ତୁ କିଭଳି ଦେଶର ବିଭିନ୍ନ ଭାଗରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକା ପହଂଚାଇବା ପାଇଁ ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ସରକାର । 

– ପୁଣେର ସିରମ ଇନଷ୍ଟିଚ୍ୟୁଟରୁ ୧ କୋଟି ୧୦ ଲକ୍ଷ ଡୋଜ୍ ପାଇଁ ଅର୍ଡର ଦେଇଛନ୍ତି ସରକାର

– ସିରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକାର ପରିବହନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି

– ଏୟାର କଣ୍ଡିସନର ଓ ଜିପିଏସ ବ୍ୟବସ୍ଥା ଥିବା ଟ୍ରକରେ ହେଉଛି ଟିକାର ପରିବହନ

– ଫ୍ୟାକ୍ଟ୍ରିରୁ ବିମାନବନ୍ଦର ଯାଏଁ କଡା ପୋଲିସ ସୁରକ୍ଷା ଭିତରେ ଅଣାଗଲା ଟିକା ଟ୍ରକ୍

– ଗୋଟିଏ ଟ୍ରକରେ ରହିଛି ୩ ଶହ ଟିକା ବାକ୍ସ ଏବଂ ଏଥିରେ ୧ ଲକ୍ଷ ୨୦ ହଜାର ଡୋଜ୍

– ପୁଣେରୁ ଝାନ୍ସି, କର୍ଣ୍ଣାଲ, ଡାମନ, ସିଲଭାସା, ସୁରଟ, ଭଡୋଦରା, ଗାନ୍ଧୀନଗର ଓ ରାଜକୋଟ୍ ଯିବ

– କେନ୍ଦ୍ର ଓ ରାଜ୍ୟର ୪୮ଟି ସ୍ଥାନ ଚିହ୍ନଟ ହୋଇଛି, ଯେଉଁଠାରୁ ରାଜ୍ୟର ବିଭିନ୍ନ ଭାଗକୁ ଯିବ ଟିକା