ଦେଶରେ ନୂଆ ଆଇନ ବ୍ୟବସ୍ଥା ଲାଗୁ । ଓଡ଼ିଶାରେ ହତ୍ୟା ଉଦ୍ୟମ ଅଭିଯୋଗରେ ରୁଜୁ ହେଲା ପ୍ରଥମ ମାମଲା, ଜାଣନ୍ତୁ ନୂଆ ଆଇନ ବ୍ୟବସ୍ଥାରେ ରହିଛି କଣ?

2,012

କନକ ବ୍ୟୁରୋ : ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ପରେ ରାଜ୍ୟରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ବାପା ଗୌରାଙ୍ଗ ଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ।

ଜୁନ୍ ୨୯ ତାରିଖ ରାତି ୮ଟା ୧୫ମିନିଟରେ ତିନି ଜଣ ଦୁର୍ବୃତ ଗୌରାଙ୍ଗଙ୍କୁ ଆକ୍ରମଣ କରିଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ପୁଅ । ଗୌରାଙ୍ଗ ଚରଣ ଦାସଙ୍କୁ ଚିନ୍ତାମଣିଶ୍ୱର ମନ୍ଦିର ପ୍ରଥମ ଲେନ୍ ପାଖରେ ଦୁଇଟି ବାଇକରେ ୩ଜଣ ଆସି ବ୍ଲେଡରେ ତାଙ୍କ ବେକ କାଟିଥିଲେ । ଏନେଇ ତାଙ୍କ ପୁଅଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ଯାହାକୁ ନେଇ ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ ଦଫା ୩୦୭ ଲାଗୁ ହେବା କଥା ଆଜି ତାହାକୁ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ ୧୨୬(୨), ୧୧୫(୨), ୧୦୯(୧) ଓ ୩(୫)ରେ ମାମଲା ରୁଜୁ କରାଯାଇଛି ।

ଏହାପୂର୍ବରୁ ଦେଶରେ ଆଜିଠୁ ଲାଗୁ ହୋଇଥିବା ନୂଆ ଆଇନରେ ଦିଲ୍ଲୀରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅଧିନରେ ଏହି ଏଫଆଇଆର ରୁଜୁ କରାଯାଇଛି । ଦିଲ୍ଲୀର କମଳା ମାର୍କେଟରେ ଫୁଟ ଓଭରବ୍ରିଜ ଅବରୋଧ କରିଥିବା ଅଭିଯୋଗରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ନିଜେ ଥାନାର ସବ ଇନ୍ସପେକ୍ଟର । ପେଟ୍ରୋଲିଂ ବେଳେ ଉଠାଦୋକାନୀଙ୍କ ଦୋକାନ ଯୋଗୁୁଁ ଫୁଟ ଓଭରବ୍ରିଜ ଅବରୋଧ ହୋଇଥିବା ସବ ଇନ୍ସପେକ୍ଟର ଦେଖିବାକୁ ପାଇଥିଲେ । ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋଡର୍୍, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ନୂଆ ଆଇନ । ନୂଆ ବ୍ୟବସ୍ଥା ଅନୁସାରେ
– ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ
– ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ
– ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ
– ୭ ଦିନ ଭିତରେ ମେଡିକାଲ ରିପୋର୍ଟ ପ୍ରଦାନ କରାଯିବ
– ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ
– ରାଜଦ୍ରୋହ ଶବ୍ଦକୁ ହଟାଯାଇ ଦେଶଦ୍ରୋହକୁ ସାମିଲ କରାଯାଇଛି
– ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ
– ଗିରଫ ହେବା ପରେ ଜଣେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ସ୍ଥିତି ସଂମ୍ପର୍କରେ ଜଣାଇପାରିବେ
– ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ଦିଆଯାଇଛି ଅଧିକାର
– ଗିରଫ ସର୍ମ୍ପିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ
– ବ୍ୟକ୍ତିଗତ ଭାବେ ହାଜର ନହୋଇ ଇଲେକ୍ଟ୍ରୋନିକ ମାଧ୍ୟମରେ ଏଫ୍ଆଇଆର କରିହେବ