ଭେଟନ୍ତୁ ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ! ଯିଏ ହଜାର ହଜାର ମହିଳାଙ୍କ ପାଇଁ ପ୍ରେରଣା ।

61

ଏମିତି ଆଉ କୌଣସି କ୍ଷେତ୍ର ବାକି ନାହିଁ ଯେଉଁଥିରେ ମହିଳାମାନେ ନିଜ ଦକ୍ଷତା ଏବଂ ପରାକ୍ରମ ଦେଖାଇନାହାନ୍ତି । ତେବେ ଅଗ୍ନିଶମ କ୍ଷେତ୍ରରେ ମଧ୍ୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି କୋଲକାତାର ଝିଅ ତାନ୍ୟା ସାନ୍ୟାଲ । ଯିଏକି ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀ ହୋଇ ଇତିହାସ ରଚିଛନ୍ତି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ପ୍ରଥମ ଥର ପାଇଁ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ତେବେ ସୂଚନା ଅନୁଯାୟୀ, ତାନ୍ୟା ଏବେ କୋଲକାତାରେ ଟ୍ରେନିଂ ନେଉଛନ୍ତି ଏବଂ ଗୋଟିଏ ମାସ ପରେ ସେ ନିଜ ଟିମ୍ ସହ ଯୋଗଦେବେ ।

 

କିଏ ଏହି ତାନ୍ୟା ସାନ୍ୟାଲ :

ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀ ତାନ୍ୟା ସାନ୍ୟାଲ ଉଦ୍ଭିଦ ବିଜ୍ଞାନର ଛାତ୍ରୀ ଅଟନ୍ତି । ସେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି । ସେ କହିଛନ୍ତି ଯେ, ଏହି କାମ ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଅଟେ । ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀ ହୋଇଥିବାରୁ ସେ ନିଜକୁ ଅତ୍ୟନ୍ତ ଗର୍ବିତ ମନେ କରୁଛନ୍ତି । ସେ କହିଛନ୍ତି ସେ ତାଙ୍କ ପରିବାର ପାଇଁ ଆଜି ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପରିବାର ଲୋକେ ତାଙ୍କୁ ସବୁବେଳେ ସହଯୋଗ କରିଛନ୍ତି ।

ତାନ୍ୟା କେଉଁ କାମ କରିବେ ?

ବିମାନ ଗୁଡିକର ଅବତରଣ ପାଇଁ ଏୟାରପୋର୍ଟରେ ଅଗ୍ନିଶମ କର୍ମଚାରୀ ରହିବା ନିତ୍ୟାନ୍ତ ଆବଶ୍ୟକ । ସରକାରୀ କର୍ତ୍ତୃପକ୍ଷଙ୍କ ପାଖରେ ଏବେ ୩,୩୧୦ ଜଣ ଅଗ୍ନିଶମ କର୍ମାଚାରୀ ଅଛନ୍ତି । ଆଉ ଏମାନେ ସମସ୍ତେ ହେଉଛନ୍ତି ପୁରୁଷ । ଏଏଆଇର ଚେୟାରମ୍ୟାନ ଗୁରୁପ୍ରସାଦ ମହାପାତ୍ରା କହିଛନ୍ତି ଯେ, ନୂଆ ଏୟାରପୋର୍ଟ ହେବାରୁ ଏବଂ ଅଧିକ ମାତ୍ରାରେ ଏହା ବିସ୍ତାର ହେବାରୁ ଅଗ୍ନିଶମ କର୍ମଚାରୀଙ୍କ ଅଭାବକୁ ସାମ୍ନା କରିବାକୁ ପଡୁଛି ।

ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ନୂଆ ନିୟମ କରାଗଲା ଏବଂ ଏହି କ୍ଷେତ୍ରରେ ମହିଳାମାନଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନିଆଗଲା । ଯେଉଁଥିରେ ଫିଜିକାଲ ଷ୍ଟାଣ୍ଡାଡର୍ସ ଏକ ଆବଶ୍ୟକ ମାନଦଣ୍ଡ ରହିଥାଏ । ସେ କହିଛନ୍ତି ଯେ, ଏମିତି ପ୍ରଥମ ଥର ହେବାକୁ ଯାଉଛି ଯେଉଁଥିରେ ମହିଳାମାନେ ସାମିଲ ହେବେ । ସୂଚନା ଅନୁଯାୟୀ, ତାନ୍ୟାଙ୍କୁ ଏଏଆଇର ପୂର୍ବ କ୍ଷେତ୍ରରେ ଏୟାରପୋର୍ଟ ପାଇଁ ନିଯୁକ୍ତ କରାଯାଇଛି । ଯେଉଁଥିରେ କୋଲକାତା, ପାଟଣା, ଭୁବନେଶ୍ୱର, ରାୟପୁର, ଗୟା ଏବଂ ରାଞ୍ଚି ସାମିଲ ରହିଛି ।