ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ

96

କନକ ବ୍ୟୁରୋ : ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମସ୍ । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ । ଭାରତୀୟ କ୍ରୀଡା ପ୍ରାଧୀକରଣର ୩ଟି ଷ୍ଟାଡିୟମରେ ୭ଦିନ ଧରି ଦିବ୍ୟାଙ୍ଗ କ୍ରୀଡାବିତ ଆଥଲେଟିକ୍ସ, ସୁଟିଂ, ଫୁଟବଲ, ଟେବୁଲ ଟେନିସ ଏବଂ ଭାରତ୍ତୋଳନ ପରି ୭ଟି ପ୍ର୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଦେଶରେ ପାରା କ୍ରୀଡାର ବିକାଶ ପାଇଁ ସରକାରଙ୍କ ପ୍ରୟାସ ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ପ୍ରତିଯୋଗିତା ଦେଶରେ ଉଦୀୟମାନ ପାରା ଆଥଲେଟମାନଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

ଭାରତୀୟ କ୍ରୀଡା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ୨୦୧୭ ମସିହାରେ ଖେଲୋ ଇଣ୍ଡିଆ ଯୋଜନାର ପରିକଳ୍ପନା କରିଥିଲେ । ୨୦୧୮ରୁ ଏପର୍ଯ୍ୟନ୍ତ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସର ସଫଳ ଆୟୋଜନ କରାଯାଇଛି । ଏଥିରେ ୫ଟି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୩ଟି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଏବଂ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ଅର୍ନ୍ତଭୁକ୍ତ । ନିକଟରେ ଚୀନର ହଙ୍ଗଝୌ ସହରରେ ଅନୁଷ୍ଠିତ ପାରା ଏସିଆନ ଗେମ୍ସରେ ଭାରତୀୟ ପାରା ଆଥଲେଟ ମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଏହି ଧାରା ବଜାୟ ରଖିବା ସହ ଆଗାମୀ ୨୦୨୪ ପ୍ୟାରିସ ପାରା ଅଲମ୍ପିକ୍ସ ପାଇଁ ପ୍ରତିଭା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର କ୍ରୀଡା ବିଭାଗ ।

ଖେଲୋ ଇଣ୍ଡିଆ ଯୋଜନା ମାଧ୍ୟମରେ ଦେଶରେ କ୍ରୀଡା ଭିତ୍ତିୂମିର ବିକାଶ ଓ ନୂତନ କ୍ରୀଡାବିତ ତିଆରି ପାଇଁ ଉଦ୍ୟମ ଜାରି ରହିଛି । ଏ କ୍ଷେତ୍ରରେ ପାରା କ୍ରୀଡାବିତଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି କେନ୍ଦ୍ର କ୍ରୀଡା ବିଭାଗ ।