କେମିତି ଦେଖାଯାଏ ନୂଆ କରୋନା ଭାଇରସ ? କାନାଡା ବିଶେଷଜ୍ଞ ଜାରି କଲେ ନୂଆ ମ୍ୟୁଟାଣ୍ଟର ଚିତ୍ର, କହିଲେ ଛୁଞ୍ଚି ମୁନର ଏକ ଲକ୍ଷରୁ ଏକ ଭାଗ ହେଉଛି ଆକାର ।

676

କନକ ବ୍ୟୁରୋ : ସାରାବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭୂତାଣୁ କେମିତି ଦେଖାଯାଏ । ଏହାର ରୂୁପ କେମିତି, ଏହାକୁ ନେଇ ସମସ୍ତଙ୍କ ଭିତରେ ଏକପ୍ରକାର ଉତ୍କଣ୍ଠା ଲାଗି ରହିଛି । ଏଭଳି ସମୟରେ ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆର ଏକ ରିସର୍ଚ୍ଚ ଟିମ୍ କରୋନାର ନୂଆ ମ୍ୟୁଟାଂଟ ବି.୧.୧.୭ର ପ୍ରଥମ ଚିତ୍ର ସାମ୍ନାକୁ ଆଣିଛି । ଯାହାର ଆକାର ହେବ ଛୁଂଚି ମୁନର ଏକ ଲକ୍ଷରୁ ଏକ ଭାଗ ।

ଭାରତରେ ସଂକ୍ରମଣ ବଢାଉଥିବା ଭାଇରସ କେମିତି ଦେଖାଯାଏ? ବି.୧.୧.୭ ର ପ୍ରଥମ ଚିତ୍ର ଆସିଲା ସାମ୍ନାକୁ । ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏହା ପଛରେ ଯେଉଁ ମ୍ୟୁଟାଂଟ ଭାଇରସ ପ୍ରମୁଖ କାରଣ ସାଜିଛି ତାହା ଦେଖିବାକୁ କିଛି ଏହିଭଳି । ଏହି ରଂଗୀନ ଫଟୋରେ ଥିବା ଭାଇରସର ଆକାର ଅନେକଙ୍କ ପାଇଁ ଘାତକ ସାଜିଛି । କାନାଡାର ବୈଜ୍ଞାନିକ ଏହାର ଚିତ୍ର ଜାରି କରିଛନ୍ତି । ଭାଇରସର ଏହି ନୁଆ ପ୍ରକାର ଯୋଗୁଁ କେବଳ ଭାରତରେ ନୁହେଁ ବରଂ ୟୁକେ ଏବଂ କାନାଡାରେ ମଧ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଗତ ବର୍ଷ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ଏହି ଭାରିଏଂଟ ଉପରେ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟ ଅନୁସାରେ କରୋନା ଭାଇରସର ଏହି ଭାରିଏଂଟ ହିଁ ବଡ ସଂଖ୍ୟାରେ ହେଉଥିବା ମ୍ୟୁଟେସନ ପଛର କାରଣ ।

ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ ପକ୍ଷରୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି, ଏହି ଫଟୋକୁ ଆଟମିକ ରିଜୋଲ୍ୟୁସନ ଦ୍ୱାରା ନିଆଯାଇଛି । ଏହି ଭାରିଏଂଟ କାହିଁକି ଅଧିକ ସଂକ୍ରାମକ, ସେନେଇ ଅଧିକ ଅନୁସନ୍ଧାନ କରିବାରେ ଏହି ଫଟୋ ଚିତ୍ର ଯଥେଷ୍ଟ ସହାୟକ ହେବ ।

ପ୍ରଥମେ କରୋନା ଭାଇରସର ବି.୧.୧.୭ ଭାରିଏଂଟ ବ୍ରିଟେନରେ ଠାବ ହୋଇଥିଲା । ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ ରିସର୍ଚ୍ଚ ଟିମର ମୁଖ୍ୟ ଡାକ୍ତର ଶ୍ରୀରାମ ସୁବ୍ରମଣ୍ୟମ କହିଛନ୍ତି,

– ଗୋଟିଏ ପିନ ପଏଂଟର ୧ଲକ୍ଷ ଭାଗ ଛୋଟ ଆକାରର ହେଉଛି କରୋନା ଭାଇରସ
– ଏହି ଭାରିଏଂଟର ଆକାରକୁ ଠାବ କରିବାକୁ କ୍ରାଇଓ ଇଲେକଟ୍ରୋନ ମାଇକ୍ରୋସ୍କୋପ ବ୍ୟବହାର କରାଯାଇଥିଲା
– ଯଦିଓ ଭାଇରସ ତାର ସତ୍ତା ବଜାୟ ରଖିବାକୁ ନିଜକୁ ମ୍ୟୁଟେଟ୍ କରେ ହେଲେ ଏହି ଭାରିଏଂଟ ଲଗାତର ଭାବେ ତାରପ୍ରକାର ବଦଳାଇ ଚାଲିଛି
– ଏନ୫୦୧ୱାଇ ନାମକ ଏକ ମ୍ୟୁଟାଂଟ ଷ୍ଟ୍ରେନ ବି.୧.୧.୭ ଭାରିଏଂଟର ସ୍ପାଇକ ପ୍ରୋଟିନରୁ ମିଳିଛି
– ମଣିଷ ଶରୀରରେ ଥିବା ଏକ ଏନଜାଇମ ଏହି ଷ୍ଟ୍ରେନକୁ ଶରୀରରେ ପ୍ରବେଶ କରାଇବାରେ ସହାୟକ ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ ଘାତକ ବି ହୁଏ

ତେବେ ବଡ କଥା ହେଉଛି, ଏହି ଷ୍ଟ୍ରେନକୁ ରୋକିବାରେ ଭ୍ୟାକସିନ ସହାୟକ ହୋଇପାରେ ବୋଲି ରିସର୍ଚ୍ଚ ଟିମ୍ ମୁଖ୍ୟ ଡାକ୍ତର ଶ୍ରୀରାମ ସୁବ୍ରମଣ୍ୟମ କହିଛନ୍ତି । ରିପୋର୍ଟ ଅନୁସାରେ, ଯଦିଓ ଏନ୫୦୧ୱାଇ ମ୍ୟୁଟାଂଟ ଭାଇରସ ଆମ ଶରୀରକୁ ସହଜରେ ପ୍ରବେଶ କରିପାରେ ହେଲେ, ଶରୀରରେ ଥିବା ଆଣ୍ଟିବଡି ଏହାକୁ ପ୍ରତିହତ କରିବାକୁ ସକ୍ଷମ । ଯେଉଁ ଭ୍ୟାକସିନ ମ୍ୟୁଟାଂଟ ହୋଇନଥିବା ଭାଇରସକୁ ସେଲରେ ପ୍ରବେଶ କରିବାକୁ ଅଟକାଇପାରୁଛି, ସେହି ଭ୍ୟାକସିନ ମଧ୍ୟ ଏନ୫୦୧ୱାଇକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ ଆହୁରି ୪ଟି କୋଭିଡ ୧୯ ଭାରିଏଂଟ ଉପରେ ରିସର୍ଚ୍ଚ ଜାରି ରଖିଛି ଯାଜା ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା, କାଲିଫର୍ଣ୍ଣିଆ ଏବଂ ଭାରତରେ ଠାବ ହୋଇଛି । ଯେଉଁ ପଦ୍ଧତିରେ ଏବେ ଚିକିତ୍ସା ଚାଲିଛି ଏବଂ ଭ୍ୟାକସିନ ଦିଅଯାଉଛି, ତାହା କେତେ ପ୍ରଭାବଶାଳୀ ରହିବ, ଏହି ରିସର୍ଚ୍ଚକୁ ସ୍ପଷ୍ଟ ହେବ ବୋଲି ୟୁବିସି ପକ୍ଷରୁ କୁହାଯାଇଛି ।