କନକ ବ୍ୟୁରୋ : ଆଜି ଭୋଟ୍‌ ବାକ୍ସ ଖୋଲିବ । କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ୍ ମିଳିଛି ଗୋଟିଏ ପରେ ଗୋଟିଏ ଗଣତି ହେବ । ୮୫୧ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ବାକ୍ସରେ ୩ ହଜାର ୩୩୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । ପ୍ରଥମ ଦିନରେ ୩୧୫ ଜୋନର ଫଳ ଆସିବ । ଦ୍ୱିତୀୟ ଦିନରେ ୩୦୭ ଓ ତୃତୀୟ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ରେଜଲ୍ଟ ଆସିବ ।

Advertisment

ତେବେ ‌ହେଲେ ଭୋଟ୍‌ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିଯାଇଛି । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି, କାହାକୁ ପର କରୁଛନ୍ତି ତାହାକୁ ଦେଖିବାକୁ ସାରା ଓଡ଼ିଶାବାସୀ ଚାତକ ଭଳି ଚାହିଁ ବସିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳ ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବାକୁ ଥିବାବେଳେ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଜିଲ୍ଲା ପରିଷଦ ଜୋନ୍‌ ଅନୁଯାୟୀ ଭୋଟ୍ ଗଣତି ହେବାକୁ ଥିବାରୁ ୨୬ତାରିଖରେ ୩୧୫ଟି ଜିଲ୍ଲା ପରିଷଦ ଜୋନ, ୨୭ରେ ୩୦୭ଟି ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି । ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି । ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ । ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୮୯୦ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ ।