ବିଧାନସଭାର ଫାଷ୍ଟ ଡେ’ ଫାଷ୍ଟ ସୋ’ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ସୁରଜ ସୂର୍ଯ୍ୟବଂଶୀ
କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହୋଇଥିଲା ବିଧାନସଭା । ଆଉ ଫାଷ୍ଟ ଡେ ଫାଷ୍ଟ ସୋରେ ଗୃହକୁ ଚଳାଇ ନଦେବାକୁ ବିରୋଧୀ କରିଥିଲେ ଜବରଦସ୍ତ ପ୍ରୟାସ । ସନ୍ଧ୍ୟା ୫ଟାରେ ଗୃହ ଆରମ୍ଭ ହେବାମାତ୍ରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କମ୍ପିଥିଲା ବିଧାନସଭା । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗରେ ପହଞ୍ଚି କରିଥିଲେ ହଙ୍ଗାମା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ବି ପଛାଇ ନଥିଲେ ବିରୋଧୀ ।

Kanak News is now on WhatsApp
Join and get latest news updates delivered to you via WhatsApp
- ବିଧାନସଭାରେ ଫାଷ୍ଟ ଡେ ଫାଷ୍ଟ ସୋ
- ମୁଖ୍ୟମନ୍ତ୍ରୀ ଆସିଲେ, ଶୋକ ପ୍ରସ୍ତାବରେ ଭାଗନେଲେ
ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ନବୀନଙ୍କ ଆସିବାକୁ ନେଇ ବିରୋଧୀ ଯେଉଁ ଆଶଙ୍କା ପ୍ରକାଶ କରୁଥିଲେ ତାର ଅନ୍ତ ଘଟିଛି । ପ୍ରଥମ ଦିନରେ ଦିବଙ୍ଗୀତ ବିଧାୟକଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ । ଆଉ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିଜେପି, କଂଗ୍ରେସ । ଅମର ଆତ୍ମାର ସଦଗତି କାମନା କରି ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଗୃହକୁ ୫ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।
- ଅର୍ଚ୍ଚନା ନାଗ ମାମଲାରେ କମ୍ପିଲା ବିଧାନସଭା
- ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରିଲାନି ଗୃହ
୫ଟାରେ ଗୃହ ଆରମ୍ଭ ହେବାମାତ୍ରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କମ୍ପିଥିଲା ବିଧାନସଭା । ଉଭୟ ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ସରକାରଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବି ଟାର୍ଗେଟ କରିଥିଲେ । ବିଜେପି ବାଚସ୍ପତିଙ୍କ ରୁଲିଂ ମାଗିଥିଲା । ନରସିଂହ ମିଶ୍ର କହିଥିଲେ ପୁଲିସ ଯାହାକୁ ଛାଡିଦେଇଥିଲା ଇଡି ବାନ୍ଧିଛି । ଏସଆଇଟି ରିପୋର୍ଟ ମାଗିଲାଣି । କିନ୍ତୁ ସରକାର ଏଥିରେ ନୀରବଦ୍ରଷ୍ଟା ସାଜିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାକୁ ଗୃହକୁ ଶୁକ୍ରବାର ଯାଏଁ ମୁଲତବୀ ଘୋଷଣା କରାଯାଇଛି ।
- ପ୍ରଥମ ଦିନର ପ୍ରଶ୍ନ କରି ଚର୍ଚ୍ଚାରେ ଧାମନଗର ବିଧାୟକ
- ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ସୂରଜ ସୂର୍ଯ୍ୟବଂଶୀ
ବିଧାନସଭାର ପ୍ରଥମ ଦିନରେ ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରଶ୍ନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଣତାରକା ପ୍ରଶ୍ନରେ ସୂର୍ଯ୍ୟବଂଶୀ ପଚାରିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ନିର୍ବାଚନମଣ୍ଡଳୀକୁ ନିଜର ବୋଲି କହୁଛନ୍ତି, କିନ୍ତୁ ତାର କଣ ବିକାଶ ହୋଇଛି । ଏହାର ଉତ୍ତର ପାଇଁ ୨୮ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଛି । ରାଜ୍ୟବାସୀଙ୍କ ତରଫରୁ ସେ ଉତ୍ତରକୁ ଅପେକ୍ଷା କରିଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି । ତେବେ ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିବା ପାଇଁ ପାଲଟା ରଣନୀତି କରିଛି ।
୫ ଟାରେ ଗୃହ ଆରମ୍ଭ ହେବା ମାତ୍ରେ ହୋହଲ୍ଲା ମଧ୍ୟରେ ୧୬ ହଜାର ୮ ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ତେବେ ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ଅର୍ଚ୍ଚନା ନାଗ ମାମଲା ଗୃହକୁ ଉଷ୍ମ କରିଥିବାବେଳେ ଚାଷୀ ପ୍ରସଙ୍ଗ ଆଗକୁ ଆହୁରି ସରଗରମ କରିବ ।