କାଲି ସକାଳୁ ରାଜ୍ୟର ସବୁ ଜିଲ୍ଲାକୁ ସିଧା ଯିବ କୋଭିସିଲ୍ଡ ଟିକା: ଆଂଚଳିକ କେନ୍ଦ୍ରକୁ ନଯାଇ ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧା ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଭ୍ୟାକସିନ

୩୦ଟି ଜିଲ୍ଲାରୁ ଆସିବ ଭ୍ୟାକସିନ ଗାଡି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା

112

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାରୁ  ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି ।  କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପୁଣେର ସିରମ ଇନଷ୍ଟିଚ୍ୟୁଟକୁ ଟିକ ଯୋଗାଇଦେବା ପାଇଁ କୁହାଯାଇଛି । କମ୍ପାନୀର ପୁଣେ ସ୍ଥିତ ଫ୍ୟାକ୍ଟ୍ରିରୁ ଦେଶର ବିଭିନ୍ନ ଭାଗକୁ  ଟିକା ପହଚାଂଇବା କାମ ଆରମ୍ଭ ହୋଇଯାଇଛି  । ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ  ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା । ଅପରାହ୍ନରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବ ବୋଲି ସୂଚନା ମିଳିଛି ।

ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧାସଳଖ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଟିକା । ଆଉ ୯ଟି ଆଂଚଳିକ ଟିକା କେନ୍ଦ୍ରକୁ ଟିକା ଯିବନି । ଆସନ୍ତାକାଲି ସକାଳୁ  ବିଭିନ୍ନ ଜିଲ୍ଲାକୁ  ଟିକା ଯିବ । ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ ଟିକା ନେବା ପାଇଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଭାଇଲ । ଗୋଟିଏ ଭାଇଲରୁ ୧୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ ପ୍ରଥମ ଦଫାରେ ଆସୁଥିବା ଟିକା  ୪ ଲକ୍ଷ  ୮ ହଜାର ଲୋକଙ୍କୁ ଦିଆଯାଇପାରିବ ।   ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ସେପଟେ, ଭୁବନେଶ୍ୱର ବିମାନବନ୍ଦରରେ କୋଭିସିଲ୍ଡ ଟିକା ପହଚିଂବା ପରେ ଟିକାକୁ କେଉଁଠି ରଖାଯିବି ସେ ନେଇ  ବ୍ୟବସ୍ଥା କରାଯାଉଛି । ବିମାନବନ୍ଦରରେ କୋଲ୍ଡ ରୁମରେ ରହିବ ଟିକା । ୨ରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ଟିକା ରଖାଯିବ । ସଟଡାଉନ ଓ ଲକଡାଉନ ଯୋଗୁଁ କୋଲ୍ଡ ରୁମ ବନ୍ଦ ପଡିଥିବା ବେଳେ ଏବେ  କୋଲ୍ଡ ରୁମକୁ ସଫା କରି ଟିକା ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।

ତେବେ ଆଜି ଅପରାହ୍ନରେ ଓଡିଶାରେ କୋଭିସିଲ୍ଡ ଭ୍ୟାକସିନ ପହଚୁଁଥିବା ବେଳେ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟବିଭାଗ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର  ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ତାଲିକା ରାଜ୍ୟ ସରକାରଙ୍କୁ ଦିଆଯାଇଛି ।   ମୋଟ ୨୭ଟି ସରକାରୀ ହସ୍ପିଟାଲ, ଓ ୧୮ଟି ଘରୋଇ  ହସ୍ପିଟାଲରେ ଭ୍ୟାକସିନେସନ  ସେଂଟର କରିବା ପାଇଁ ନିଷ୍ପତି ହୋଇଛି । ୧୬ ତାରିଖରେ ଭୁବନେଶ୍ୱରରେ ୫ଟି ଲୋକେସନ  କ୍ୟାପିଟାଲ ହସ୍ପିଟାଲ, ଯୁନିଟ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ  କୋଭିଡ ଭ୍ୟାକସିନ ଲଂଚ କରାଯିବ ବୋଲି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।