ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ନେଇ ସତର୍କ କଲା ଭିଜିଲାନ୍ସ : ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ମାମଲାକୁ ନେଇ ସତର୍କ କଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଲେ ନିଶ୍ଚିତ ଧରାପଡ଼ିବେ । ଡିଜିଟାଲ କାରବାର ଉପରେ ଭିଜିଲାନ୍ସ ନଜର ରଖିଥିବା କୁହାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଡିଜିଟାଲ ମାଧ୍ୟମରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇଟି ଲାଞ୍ଚ ମାମଲା ସାମ୍ନାକୁ ଆସିଥିଲା । ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ମୟୂରଭଂଜ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । କ୍ଷତିପୂରଣ ମଞ୍ଜୁର ପାଇଁ ୨ଟି ବ୍ଲାଙ୍କ ଚେକ୍ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏମିତି ବ୍ଲାଙ୍କ ଚେକ୍ ମାଧ୍ୟମରେ ଟଙ୍କା ନେଇ ଧରାପଡ଼ିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା ।
ସେହିପରି ଫୋନ୍ ପେ’ରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ଟାଟା ପାୱାର କିରାଣୀ ଓ ତାଙ୍କ ସହଯୋଗୀ । ଘରେ ବିଜୁଳି ସଂଯୋଗ ଦେବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଟିପିସିଓଡିଏଲ୍’ର ଏହି ଦୁଇ ଅଧିକାରୀ । ଦୁଇ ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।
ଭୁବନଶ୍ୱରରେ ଜଣଙ୍କ ଘରେ ନୂଆ ବିଜୁଳି ସଂଯୋଗ ଦେବା ପାଇଁ ଏମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଫୋନ୍-ପେ ଜରିଆରେ ଏହି ଟଙ୍କା ଗ୍ରହଣ କରିଥିଲେ । ବଡ଼ କଥା ହେଉଛି, ଏଭଳି ଏକାଧିକ ଅଭିଯୋଗ ତାଙ୍କ ନାଁରେ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅଭ୍ୟାସଗତ ଭାବେ ତରୁଣ ନାୟକ, ଫୋନ୍-ପେ ଜରିଆରେ ଲାଞ୍ଚ ନେଇଥିବା ଅନୁଧ୍ୟାନ ପରେ ଭିଜିଲାନ୍ସ ଜାଣିବାକୁ ପାଇଛି ।