ସନ୍ଧ୍ୟାରେ ବସିବ ନବୀନଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ, ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ମିଳିପାରେ ମଞ୍ଜୁରୀ ।

330

କନକ ବ୍ୟୁରୋ: ସନ୍ଧ୍ୟାରେ ବସିବ ନୀବନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ । ସଚିବାଳୟରେ ସନ୍ଧ୍ୟା ୫.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନିଜର ନୂଆ ଟିମ୍ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କ୍ୟାବିନେଟରେ ଆଗାମୀ ଶାସନକାଳ ପାଇଁ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୃତିକୁ ପାଳନ କରିବା ପାଇଁ ବିଭିନ୍ନ ପ୍ରସ୍ତାବକୁ ପାରିତ କରିପାରନ୍ତି ବୋଲି ସୂଚନା ମିଳିଛି ।

ମୁଖ୍ୟତଃ ୨୦୧୯ ବିଜେଡିର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୃତିକୁ କିଭଳି ପୂରଣ କରିବେ ସେନେଇ ପ୍ରଥମ କ୍ୟାବିନେଟ୍ ବୈଠକରେ ଆଲୋଚନା କରି ପାରନ୍ତି ରାଜ୍ୟ ସରକାର । ବିଶେଷ କରି, ସରକାରକୁ ଆସିଲେ କାଳିଆ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରିବା, କାଳିଆ ଯୋଜନାକୁ ସଶକ୍ତ ଓ କ୍ରିୟାଶୀଳ କରିବାକୁ କାଳିଆ କମିଶନ ଗଠନ, ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ, ସବୁ ପଞ୍ଚାୟତରେ ଗୋଦାମ ଗୃହ ନିର୍ମାଣ କରାଯିବା ସହ ଜଳ ସେଚନ ପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେଡି ।

ଏହାସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଦୁର୍ଘଟଣା ବୀମା ଯୋଗାଇ ଦିଆଯିବା ସହ ପ୍ରତି ଏସଏଚଜିଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ। ପ୍ରତି ପଞ୍ଚାୟତରେ ମିସନ ଶକ୍ତି ବଜାର ପ୍ରତିଷ୍ଠା ହେବ ଓ ମହିଳା ସଦସ୍ୟାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫୦୦ କୋଟି ଲାଭ ମିଳିବା ଭଳି ୫୦୦୦ କୋଟି ଟଙ୍କାର ସରକାରୀ କାରବାର କରିବାକୁ ମଧ୍ୟ ବନ୍ଦୋବସ୍ତ କରିବାକୁ ବିଜେଡି ଇସ୍ତାହାରରେ କହିଛି ବିଜେଡି । ଝିଅ ପିଲାଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବା ସହ ଗରିବ ପରିବାର ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଦଳ ଘୋଷଣା କରିଥିଲା । ଗରିବ ଭୂମିହୀନଙ୍କୁ ପ୍ରଦାନ କରାଯାଉଥିବା ଜମି ଓ ବାସଗୃହକୁ ସମ୍ପୃକ୍ତ ପରିବାରର ମହିଳାଙ୍କ ନାମରେ ପଞ୍ଜୀକରଣ କରାଯିବ ଭଳି ପ୍ରତିଶ୍ରୁତି ଗୁଡ଼ିକରୁ ବିଭିନ୍ନ ପ୍ରସ୍ତାବ ଉପରେ ନବୀନଙ୍କ ପ୍ରଥମ କ୍ୟାବିନେଟରେ ଆଲୋଚନା ହୋଇପାରେ ।