କନକ ବ୍ୟୁରୋ: ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କ ଏହା ସପ୍ତମ ବଜେଟ । ବଜେଟରେ କେଉଁ ବଡ଼ ଘୋଷଣା ହେବ, ତାହା ତ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଇଏ ବଜେଟ୍ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବଜେଟ କେବଳ ଟିକସଦାତାଙ୍କ ପାଇଁ ନୁହେଁ ବରଂ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ରିଫକେସ୍ ଦେଶର ଅର୍ଥନୀତିକୁ ବୁଷ୍ଟର ଡୋଜ୍ ଦେଉଛି ନା ଏହା କେବଳ ସାଧାରଣ ବଜେଟରେ ପରିଣତ ହେଉଛି, ତାହା ବଜେଟ୍ ଭାଷଣରେ ଦେଖିବାକୁ ମିଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୮ଟା ୪୦ରେ ଅର୍ଥ ମନ୍ତ୍ରାଳୟରୁ ବାହାରିବେ। ସକାଳ ପ୍ରାୟ ୯ଟା ବେଳେ ବଜେଟ୍ ପ୍ରସ୍ତୁତ କରୁଥିବା ମନ୍ତ୍ରାଳୟର ଟିମ୍ ସହ ଫଟୋ ସେସନ୍ କରିବେ। ଏହା ପରେ ବଜେଟ୍ ଉପସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଆଣିବେ। ୧୦ଟାରେ ଅର୍ଥମନ୍ତ୍ରୀ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ବଜେଟ୍ ନେଇ ସଂସଦରେ ପହଞ୍ଚିବେ ଏବଂ ସେଠାରେ ଆଉ ଏକ ଫଟୋ ସେସନ ହେବ। ବଜେଟ୍ ପୂର୍ବରୁ ଦୁଇ ଦୁଇ ଥର ଫଟୋ ସେସନର ପରମ୍ପରା ଏବେବି ରହିଛି। ଆଉ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ପ୍ରାୟ ଦିନ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ଉପରେ ପ୍ରତିକ୍ରିୟା ଦେବେ। ଅପରାହ୍ନ ୩ଟାରେ ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।