ଲାଲଗଡରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି । ସ୍ୱାଭିମାନ ଅଂଚଳର ହନ୍ତାଳଗୁଡାରେ ଆଉ ଚଳିବନି ମାଓବାଦୀଙ୍କ ମନମାନି, ମାଓ ଗତି ବିଧି ଉପରେ ନଜର ରଖିବେ ବିଏସଏଫ ଯବାନ

ଲାଲଗଡରେ ଫରଫର ହୋଇଛି ଉଡିଲା ତ୍ରିରଙ୍ଗା

317

କନକ ବ୍ୟୁରୋ : ଲାଲଗଡରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ଚିତ୍ରକୋଣ୍ଡାର ହନ୍ତାଳଗୁଡାରେ ପ୍ରଥମ ବିଏସଏଫ୍ କ୍ୟାମ୍ପ ସ୍ଥାପନ ହୋଇଛି । ସୁରକ୍ଷାକର୍ମୀଙ୍କ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରି ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି । ଆଉ ଆଗକୁ ମାଓ ଗତିବିଧି ଉପରେ କଡା ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ଏକ ନିର୍ଭୟ ଜୀବନ ପ୍ରଦାନ କରିବାକୁ ପଣ କରିଛନ୍ତି ଯବାନ ।

ସ୍ୱାଭିମାନ ଅଂଚଳ କୁହାଯାଉଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ହନ୍ତାଳଗୁଡାରେ ପ୍ରଥମ ଥର ପାଇଁ ଉଡିଛି ତ୍ରିରଙ୍ଗା । ଲାଲବାହିନୀଙ୍କ ଅଭେଦ୍ୟଗଡକୁ ଭେଦ କରିବାରେ ସଫଳ ହୋଇଛି ସୀମା ସୁରକ୍ଷା ବାହିନୀ । ମାଓବାଦୀଙ୍କ କଡା ବିରୋଧ ସତ୍ୱେ ହନ୍ତାଳଗୁଡାରେ ପ୍ରଥମ ବିଏସଏଫ୍ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରି ଜାତୀୟ ପତାକା ଉଡାଇଛନ୍ତି ମାଲକାନଗିରି ଏସପି । ଗୁରୁପ୍ରୀୟା ସେତୁ ନିର୍ମାଣ ହେବା ପରେ ମାଓ ଦମନ ଅଭିଯାନ ଜୋରଦାର ହୋଇଥିବା ବେଳେ ସ୍ୱାଭିମାନ ଅଂଚଳରେ ଉନ୍ନୟନ ମୂଳକ କାମକୁ ସୁରକ୍ଷା ଯୋଗାଉଛନ୍ତି ବିଏସଏଫ ଯବାନ ।

ହନ୍ତାଳଗୁଡା ଅଂଚଳ ମାଓବାଦୀଙ୍କ ଦୁର୍ଗ ଭାବେ ପରିଚତ । ଏଠି ଗାଁ ଗାଁରେ ଚାଲେ ମାଓବାଦୀଙ୍କ ମନମାନି । କିଛି ଦିନ ତଳେ ହନ୍ତାଳଗୁଡା ବିଏସଏଫ କ୍ୟାମ୍ପକୁ ବିରୋଧ କରି ପ୍ରଜାମେଳି କରିଥିଲେ ମାଓବାଦୀ । ଗାଁର ଜଳ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିବା ନଳକୂଅକୁ ପୋତି ଦେଇଥିଲେ ନକ୍ସଲ । ହେଲେ ଆଉ ନାଲି ଆଖି ଦେଖାଇ ପାରିବନି ଲାଲବାହିନୀ । ଏହି ଅଂଚଳରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା କରି ଅଂଚଳବାସୀଙ୍କୁ ସୁରକ୍ଷା ପ୍ରଦାନ କରିବେ ଯବାନ । ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ହାନ୍ତାଳଗୁଡା ଗ୍ରାମବାସୀ ସରକାରଙ୍କ ସବୁ ଯୋଜନାର ଲାଭ ଉଠାଇ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।