କନକ ବ୍ୟୁରୋ : ଆଇପିଏଲ ପାଇଁ ଆସନ୍ତା ମାସରେ ହେବ ମହାନିଲାମୀ । ଚଳିତ ଆଇପିଏଲ ମହାନିଲାମୀରେ ୩୧୮ ଜଣ ଖେଳାଳୀ ସାମିଲ ହେବେ । କାହାକୁ କିଏ କିଏ କିଣିବ ତାହାକୁ ନେଇ ଏବେ ଫ୍ରାଞ୍ଚାଇଜ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । କିନ୍ତୁ ଆଇପିଏଲ ମହାନିଲାମୀରେ ଭାଗ ନେବାକୁ ରେଜିଷ୍ଟ୍ରେସନ ହୋଇଥିବା ୩୧୮ ଜଣ ଖେଳାଳୀଙ୍କୁ ମଧ୍ୟରୁ ଜଣେ ବିଦେଶୀ କ୍ରିକେଟରଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ନାଁ ହେଉଛି ମିକ୍ୟୋ ଦ୍ରୋଜି । ଭୁଟାନର ଏହି ଯୁବ କ୍ରିକେଟରଙ୍କୁ ନେଇ ଏବେ ଭାରତରେ ଜୋରଦାର ଚର୍ଚ୍ଚା । କାରଣ ମିକ୍ୟୋ ପ୍ରଥମ ଭୁଟାନ କ୍ରିକେଟର ଭାବେ ଆଇପିଏଲ ମହାନିଲାମୀରେ ସାମିଲ ହୋଇଛନ୍ତି । ୨୨ ବର୍ଷୀୟ ମିକ୍ୟୋ ୨୦୧୮ରେ ମାଲେସିଆ ବିପକ୍ଷରେ ଅର୍ନ୍ତଜାତୀୟ ଡେବ୍ୟୁ କରିସାରିଛନ୍ତି ।
ଏହାଛଡା ମିକ୍ୟୋ ଭୁଟାନର ପ୍ରଥମ ଖେଳାଳୀ ଭାବେ ବିଦେଶୀ ଲିଗରେ ଭାଗ ନେଇ ସାରିଛନ୍ତି । ଗତବର୍ଷ ମିକ୍ୟୋ ନେପାଳର ଏଭରେଷ୍ଟ ପ୍ରିମିୟର ଲିଗରେ ଭାଗ ନେଇଥିଲେ । କିନ୍ତୁ ତାଙ୍କର ଇଚ୍ଛା ରହିଛି ଆଇପିଏଲ ଖେଳିବା ପାଇଁ । ୨୦୧୮ ଓ ୨୦୧୯ରେ ଏମଆରଏଫର ପେସ ଫାଉଣ୍ଡସେନରେ ମିକ୍ୟୋଙ୍କୁ ସ୍ଥାନ ମିଳିଥିଲା । ଆଉ ଏହି ସମୟରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କୁ ଭେଟିବାକୁ ସୁଯୋଗ ପାଇଥିଲେ ମିକ୍ୟୋ । ଆଉ ପ୍ରଥମ ଭେଟଘାଟରେ ହିଁ ଧୋନୀଙ୍କ ଠାରୁ ଗୁରୁଜ୍ଞାନ ପାଇଥିଲେ ମିକ୍ୟୋ । ଯାହାକୁ ପାଥେୟ କରି ଆଗକୁ ବଢୁଛନ୍ତି ମିକ୍ୟୋ । ଧୋନୀ କେବଳ ପଦିଏ କଥା କହିଥିଲେ, ଫଳାଫଳ ଯାହା ହେଉନା କାହିଁକି କଠିନ ପରିଶ୍ରମ କରିଚାଲ । ଆଉ ଏହି କଥାକୁ ଗମ୍ଭୀରତାର ସହ ନେଇ ମିକ୍ୟୋ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଭିଯାନ ଆରମ୍ଭ କରିଥିଲେ । ଆଉ ଏବେ ଆଇପିଏଲ ମହାନିଲାମୀରେ ସାମିଲ ହୋଇଛନ୍ତି ।
ଏହାଛଡା ମିକ୍ୟୋଙ୍କର ଭାରତ ସହ ମଧ୍ୟ ପୂର୍ବରୁ ସର୍ମ୍ପକ ରହିଛି । କାରଣ ମିକ୍ୟୋଙ୍କ ପାଠପଢା ଦାର୍ଜିଲିଂର ଏକ ଘରୋଇ ସ୍କୁଲରେ ହୋଇଛି । ଏହାଛଡା ମିକ୍ୟୋଙ୍କୁ ଯଦି କୌଣସି ଦଳ କିଣୁଛି ତେବେ ପ୍ରଥମ ଭୁଟାନ ଖେଳାଳୀ ଭାବେ ଇତିହାସ ରଚିବେ । ଯେହେତୁ ମିକ୍ୟୋ ଅଲରାଉଣ୍ଡର ତେଣୁ ତାଙ୍କ ଉପରେ କୌଣସି ନା କୌଣସି ଫ୍ରାଞ୍ଚାଇଜର ନଜର ପଡିବ ବୋଲି କୁହାଯାଉଛି ।