ଚୀନ ଓ ଭାରତ ଉତ୍ତେଜନା ଭିତରେ ଫ୍ରାନ୍ସରୁ ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ରାଫେଲ, ସାଉଦିରେ ଅବତରଣ ପରେ ୨୯ରେ ପହଞ୍ଚିବ ଭାରତ ।

431

କନକ ବ୍ୟୁରୋ: ଲାଦାଖ ସୀମାରେ ଚୀନ ସହ ଭାରତ ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି ରାଫେଲ । ରାଫେଲ ହେଉଛି ସେହି ଲଢୁଆ ବିମାନ ଯାହା ଆକାଶରେ ଭାରତର ଶକ୍ତିକୁ ବହୁଗୁଣିତ କରିଦେବ । ଫ୍ରାନ୍ସର ମାରିଗ୍ନାକ୍ ଏୟାରବେସ୍ରୁ ୫ଟି ରାଫେଲ ହରିୟାଣାର ଅମ୍ବାଲା ଏୟାରବେସ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଫ୍ରାନ୍ସରୁ ଭାରତ ୭ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିବା ସମୟରେ କେବଳ ୟୁଏଇରେ ଅଟକିବ । ଆଉ ବାଟରେ ଆକାଶରେ ହିଁ ଇନ୍ଧନ ଭରିବ ରାଫେଲ । ୨୯ ତାରିଖରେ ଭାରତରେ ଅବତରଣ କରିବା ପରେ ଏହି ୫ଟି ରାଫେଲର ନୂଆ ଠିକଣା ପାଲଟିଯିବ ଅମ୍ବାଲା ଏୟାରବେସ୍ । ବାୟୁସେନାର ୧୨ ଜଣ ଫାଇଲଟ୍ ଓ ଇଂଜିନିୟରିଂ ଟିମ୍ ସଂପୂର୍ଣ୍ଣ ତାଲିମ ପାଇଥିବାରୁ ଭାରତ ପହଁଚିବା ମାତ୍ରେ ବଢ଼ିଯିବ ଆକାଶ ମାର୍ଗରେ ଦେଶର ପରାକ୍ରମ ।

ଥରେ ପଢ଼ି ନିଅନ୍ତୁ.. ରାଫେଲର ବିଶେଷତ୍ୱ ଉପରେ –

– ରାଫେଲ ହେଉଛି ଫୋର ପଏଣ୍ଟ ଫାଇଭ୍ ଜେନେରେସନ୍ ଫାଇଟର୍ ଜେଟ୍

– ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର

– ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରେ

– ଆକାଶରେ ୩,୭୦୦ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରେ

– ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିପାରେ

– ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍

– ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୁଲ ଭାବେ କରିପାରେ ଲକ୍ଷ୍ୟଭେଦ 

– ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାରେ

– ୯,୫୦୦ କିଲୋଗ୍ରାମ୍ ଓଜନର ବମ୍, ମିସାଇଲ୍ ଓ ଗୁଳିଗୋଳା ସହ ଆକାଶର ଉଡିବା କ୍ଷମତା ରହିଛି

– ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ କରିପାରେ ମାଡ 

– ଲେଜର୍ ଗାଇଡେଡ୍ ଘାତକ ବୋମା ବର୍ଷଣ କରିବାକୁ ସକ୍ଷମ ରାଫେଲ

– ନାଇଟ୍ ଭିଜନ୍ ସୁବିଧା ଥିବାରୁ ରାତିର ଅନ୍ଧକାରରେ ମଧ୍ୟ କରିପାରେ ପ୍ରଚଣ୍ଡ ଆକ୍ରମଣ

ଶବ୍ଦ ଠାରୁ ଅଧିକ ସ୍ପିଡ୍ରେ ଯାଉଥିବାରୁ ଆକ୍ରମଣ କରିବା ପରେ ମୁହୂର୍ତକ ମଧ୍ୟରେ ଆକାଶରେ ଅଦୃଶ୍ୟ ହୋଇଯାଏ ରାଫେଲ ଫାଇଟର୍ ଜେଟ୍ । ଯୁଦ୍ଧ କୌଶଳରେ ରାଫେଲ ବିଶ୍ୱର ଅନ୍ୟ ଯୁଦ୍ଧ ବିମାନ ଠାରୁ ଅଲଗା । ସେଥିପାଇଁ ରାଫେଲ ପାଇଟର୍ ଜେଟ୍ ନାଁ ଶୁଣିଲା ମାତ୍ରେ ଶତ୍ରୁସେନା ଭିତରେ ଛନକା ପଶିଯାଏ ।

୨୦୧୬ରେ ୩୬ଟି ରାଫେଲ ଲଢ଼ୁଆ ବିମାନ କିଣିବା ପାଇଁ ଫ୍ରାନ୍ସ ସହ ଡିଲ କରିଛି ଭାରତ । ୧୦ଟି ରାଫେଲ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବା ବେଳେ ଟ୍ରେନିଂ ପାଇଁ ୫ଟି ବିମାନ ଫ୍ରାନ୍ସରେ ରହିବ । ୨୦୨୧ ଶେଷ ସୁଦ୍ଧା ସମସ୍ତ ୩୬ ଏୟାରକ୍ରାଫ୍ଟ ଭାରତରେ ପହଁଚିବ ବୋଲି ସୂଚନା ମିଳିଛି ।