କନକ ବ୍ୟୁରୋ : ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଶହ ଶହ କୋଟି ଟଙ୍କାର ବିମାନରେ ଯାତାୟତ କରନ୍ତି । ଯେଉଁ ଦେଶର ପିଅନ ଓ କିରାଣୀ ଭଳି ସାଧାରଣ କର୍ମଚାରୀଙ୍କ ଘରେ ଚଢାଉ ହେଲେ ବସ୍ତା ବସ୍ତା ଟଙ୍କା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୁଏ ସେହି ଦେଶରେ ଜଣେ ପୋଲିସ କର୍ମଚାରୀ ଭଲ ଖାଦ୍ୟଟିକେ ପାଇଁ ଭୋ ଭୋ ହୋଇ କାନ୍ଦିବା ବାସ୍ତବରେ ଗଣତନ୍ତ୍ରକୁ ଅପମାନ ନୁହେଁ କି ? ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଛି । ଘରେ ଘରେ ତ୍ରିରଙ୍ଗା ନାମରେ ପ୍ରଧାନମନ୍ତ୍ରୀ ଆହ୍ୱାନ କରୁଛନ୍ତି । ରାମ ମନ୍ଦିର ନାମରେ ହଜାର ହଜାର କୋଟି ଖର୍ଚ୍ଚ ହେଉଛି ଠିକ ଏତିକି ବେଳେ ପୋଡା ରୁଟି ଓ ପାଣିଆ ଡାଲିର ଥାଳି ଧରି ସୋସିଆଲ ମିଡିଆରେ କାନ୍ଦୁଥିବା ଜଣେ ପୋଲିସ କର୍ମଚାରୀର ଚିତ୍ର ଆପଣଙ୍କୁ ବ୍ୟଥିତ କରିପାରେ ।

Advertisment

ବାସ୍ତବରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ସୁଶାସନର ଡିଣ୍ଡିମ ପିଟୁଥିବା ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଶାସନରେ । ଏଠାରେ ଜଣେ ପୋଲିସ କର୍ମଚାରୀ ପୁରା ସରକାରଙ୍କ ପୋଲ ଖୋଲିଦେଇଛି । ଫିରୋଜବାଦ ପୋଲିସ ଲାଇନର ଏକ ମେସରୁ ଏହି ଚିତ୍ର ଏବେ ସାରା ଦେଶରେ ଯୋଗୀ ଶାସନର ବାସ୍ତବ ଚିତ୍ର ପଦାରେ ପକାଇଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ପୋଲିସ କର୍ମଚାରୀ ଜଣଙ୍କ ହାତରେ କିଛି ପୋଡା ରୁଟି ଓ ପାଣିଆ ଡାଲମାର ଥାଳି ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି । ସେ କହୁଛନ୍ତି କି ସରକାର ଆମକୁ ୧୨ ଘଂଟା କାମରେ ଲଗାଉଛନ୍ତି ଓ ଖାଇବାକୁ ଦେବା ବେଳେକୁ ଏଭଳି ଖାଦ୍ୟ ଦେଉଛନ୍ତି କି ନା ତାକୁ ଖାଇ ହେଉଛି ନା ନ ଖାଇ ରହି ହେଉଛି । ବାସ ଏଭଳି ଭିଡିଓ କରୁଥିବା ବେଳେ ତାଙ୍କୁ ପୋଲିସ ଜିପରେ ଜୋର ଜବରଦସ୍ତ ଉଠାଇ ନିଆଯାଉଛି । ଖାଲି ପୋଲିସ ତାଙ୍କୁ ଉଠାଇ ନେଇ ନାହିଁ ଏହାସହ ଯୋଗୀ ସରକାରଙ୍କ ଭାବମୂର୍ତ୍ତି କୁ ବଞ୍ଚାଇବାକୁ ପୋଲିସ ଏବେ ପୁରା ଦମରେ ଲାଗି ପଡିଛି ।

ଫିରୋଜାବାଦ ପୋଲିସ ପକ୍ଷରୁ ଏବେ ଟ୍ୱିଟ କରାଯାଇ ଭିଡିଓ ପୋଷ୍ଟ କରିଥିବା କନେଷ୍ଟବଳଙ୍କ ଚରିତ୍ର ସଂହାର କରିବା ଆରମ୍ଭ କରିଦିଆଯାଇଛି । ଫିରୋଜାବାଦ ପୋଲିସ ଯେଉଁ ଟ୍ୱିଟ କରିଛି ସେଥିରେ ଲେଖିା ଯାଇଛି କି କନେଷ୍ଟବଳ ମନୋଜ କୁମାର ଜଣେ ଅନୁଶାସନହୀନ କର୍ମଚାରୀ ଓ ତାଙ୍କ ବିରୋଧରେ ଏହା ପୂର୍ବରୁ ଅନେକ ଥର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହ ପୋଲିସ ତରଫରୁ ସଫେଇ ଦେଇ କୁହାଯାଇଛି କି ଖାଇବାର ଗୁଣବତ୍ତା ସମ୍ବନ୍ଧରେ ଯାଂଚ କରିବା ସିଓ ସିଟିର କାର୍ଯ୍ୟ ଏଥିରେ ତାଙ୍କର କିଛି ଭୂମିକା ନାହିଁ ।

ସେପଟେ ମନୋଜ କୁମାର ଅଭିଯୋଗ କରିଛନ୍ତି କି ପୋଲିସ ଲାଇନ ମେସରେ କର୍ମଚାରୀମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି । କଞ୍ଚା ରୁଟି ସାଙ୍ଗକୁ ପାଣିଆ ଡାଲି ଖାଇ ୧୨ ଘଂଟା ଡ୍ୟୁଟି କରିବା ସମ୍ଭବ ନୁହେଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।