ମଂଚରେ ଫୁଟିଲା ଗୁଳି ! ଗୋଟିଏ କି ୨ଟି ନୁହେଁ, ପ୍ରାୟ ୬ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ କଳା ପୋଷାକ ପିନ୍ଧା ଯୁବକ, ଭିଡିଓ ଭାଇରାଲ ପରେ ପୁଲିସର ତନାଘନା

1,351

କନକ ବ୍ୟୁରୋ: ମଂଚରେ ଫୁଟିଲା ଗୁଳି ! ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୬ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଛି । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛିଦିନ ତଳେ ଟାଉନ ଥାନା ଅଂଚଳରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଂଚରେ ନାଚ ଗୀତରେ ମସଗୁଲ ଥିଲେ କିଛି ଯୁବକ । ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳେ ହଠାତ ଝିଲମିଲ ଆଲୋକରେ ସଂଜ୍ଜିତ ଥିବା ମଂଚରୁ ଗୁଳି ଫୁଟିବାର ଶଦ୍ଦ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

କିଛି କଳା ପୋଷାକ ପିନ୍ଧା ଯୁବକ ମଂଚ ଉପରେ ନାଚ କରୁଥିବା ବେଳେ ନିଜେ ବନ୍ଧୁକ ଧରି ଫାଙ୍କା ଗୁଳି ଚାଳନା ଘଟଣା ଦେଖଣାହାରୀଙ୍କୁ ଚକିତ କରିଦେଇଥିଲା । କେବଳ ଏତିକି ନୁହେଁ ସର୍ବସମ୍ମୁଖରେ ବିଶୃଂଖଳା ଯୁବକମାନେ ବନ୍ଧୁକ ଧରି ନୃତ୍ୟ କରିବାକୁ ଦେଖିବାକୁ ମିଳିଥିଲା । ତେବେ ସଂପୃକ୍ତ ଘଟଣାର ପୂରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହି ଭିଡିଓଟି ପୁଲିସ ହାତରେ ଲାଗିଛି । ତେବେ ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିଛି ପୁଲିସ ।

ସଂପୃକ୍ତ ଯୁବକମାନେ କିଏ ଏବଂ ସେମାନେ କେଉଁ ପରିସ୍ଥିତିରେ ଗୁଳି ଫୁଟାଇଛନ୍ତି ଏବଂ ସେମାନଙ୍କର ପାଖରେ ଲାଇସେନ୍ସ ଅଛି ନା ନାହିଁ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକ ଅନୁଷ୍ଠାନ ପୋଲିସଠାରୁ ଅନୁମତି ନେଇଥିଲା କି ନାହିଁ ଏସବୁ ଦିଗକୁ ନେଇ ପୋଲିସ୍ ବର୍ତ୍ତମାନ ତଦନ୍ତ ଜାରି ରଖିଥିବା ଜଣାପଡିଛି ।