କନକ ବ୍ୟୁରୋ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ କାର ଉପରକୁ ଗୁଳିମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଦୁଇ ଅଭିଯୁକ୍ତ ସଚିନ ପଣ୍ଡିତ ଓ ଶୁଭମଙ୍କୁ ପୋଲିସ ଗିରଫ କରିଥିବା ବେଳେ ପଚରାଉଚରା ଜାରି ରହିଛି । ମିଳିଥିବା ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ସଚିନ ପଣ୍ଡିତ ଗ୍ରେଟର ନୋଏଡାର ବାଦଲପୁର ଅଞ୍ଚଳର ହୋଇଥିବା ବେଳେ ସେ ଏବେ ଲ ପାଠ ପଢୁଛନ୍ତି । ଏହାଛଡା ସଚିନ ବିଜେପିର ସଦସ୍ୟତା ମଧ୍ୟ ଗ୍ରହଣ କରିଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାଛଡା ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ସାଂସଦ ମହେଶ ଶର୍ମା ଓ ଅନ୍ୟ ବିଜେପି ନେତାଙ୍କ ସଚିନଙ୍କ ଫଟୋ ଭାଇରାଲ ହେଉଛି ।

Advertisment

ଅନ୍ୟ ଅଭିଯୁକ୍ତ ଶୁଭମ ୧୦ମ ଯାଏଁ ପଢିଥିବା ବେଳେ ଏବେ ଚାଷ କରୁଛନ୍ତି । ତେବେ ଶୁଭମଙ୍କର ପୂର୍ବରୁ କୌଣସି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ନଥିବା ଜଣାପଡିଛି । ପଚରାଉଚରାରୁ ଜଣାପଡିଛି ଯେ ଉଭୟ ସଚିନ ଓ ଶୁଭମ, ଓୱେସି ଓ ତାଙ୍କର ଛୋଟ ଭାଇଙ୍କ ଭାଷଣକୁ ନେଇ ବେଶ ଖପ୍ପା ଥିଲେ । ସୋସିଆଲ ମିଡ଼ିଆରେ ଓୱେସିଙ୍କ ଭାଷଣକୁ ନେଇ ଉଭୟ ଭୀଷଣ ରାଗିଥିଲେ । ପୋଲିସ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ପିସ୍ତଲ ସହ ଏକ କାର ଜବତ କରିଛନ୍ତି ।

ଓୱେସିଙ୍କ ଅନୁଯାୟୀ, ଗୁରୁବାର ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚଳାଯାଇଥିଲା । ଟୋଲ ପ୍ଲାଜା ନିକଟରେ ଗାଡିର ବେଗ କମିବା କ୍ଷଣି ଗାଡି ଉପରକୁ ଗୁଳି ଚଳାଯାଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆମେ ସେଠାରୁ ଜୀବନ ନେଇ ଫେରିଥିଲୁ । ଆଉ ଏହି ଘଟଣା ପରେ ଏବେ ପୂରା ଦେଶରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯିବ ।