ବାଲାଟ ପୂର୍ବରୁ ଚାଲିଲା ବୁଲେଟ ! ବିହାରରେ ଭୋଟକେନ୍ଦ୍ର ନିକଟରେ ଫୁଟିଲା ୧୨ ରାଉଣ୍ଡ ଗୁଳି

50

ବିହାରରେ ଆଜି ଉପନିର୍ବାଚନ ଚାଲିଥିବା ବେଳେ ଗୁଳିକାଣ୍ଡ ହୋଇଛି । ମତଦାନ ଚାଲିଥିବା ବେଳେ ଜାହାନାବାଦରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଜାହାନାବାଦର ୯୪ ନମ୍ବର ବୁଥରେ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ ହୋଇଛି । ମତଦାନ କେନ୍ଦ୍ର ପାଖରୁ ପ୍ରାୟ ୫୦୦ ମିଟର ଦୂରରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି । ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ଘଟଣାସ୍ଥଳରୁ ପୋଲିସ ଏକ ବାଇକ ଜବତ କରିଛି । ସେପଟେ ଅରରିୟାରେ ୧୧ଟା ସୁଦ୍ଧା ୧୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ବିହାରରେ ଆଜି ଗୋଟିଏ ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଅରରିୟା ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ ଜାରି ରହିଥିବା ବେଳେ ଅନ୍ୟ ଦୁଇ ବିଧାନସଭା ଆସନ ଜାହାନାବାଦ ଓ ଭବୁଆରେରେ ବି ଆଜି ଉପନିର୍ବାଚନ ଚାଲିଛି । ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଥିବା ବେଳେ ତେଜସ୍ୱୀ ଯାଦବଙ୍କ ରାଜନୈତିକ ଜୀବନର ପ୍ରଥମ ପରୀକ୍ଷା ବୋଲି କୁହାଯାଇପାରେ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଜେଲରେ ଅଛନ୍ତି । ଆଉ ତାଙ୍କ ଅନୁପସ୍ଥିତିରେ ଆରଜେଡି ନିର୍ବାଚନ ଲଢୁଛି । ତେଣୁ ତେଜସ୍ୱୀଙ୍କ ପାଇଁ ଏହି ଉପନିର୍ବାଚନ ଅଗ୍ନିପରୀକ୍ଷା ହୋଇଛି ।

ସେହିଭଳି ଉତରପ୍ରଦେଶରେ ଖାଲି ପଡିଥିବା ଦୁଇଟି ଲୋକସଭା ଆସନ ଗୋରଖପୁର ଓ ଫୁଲପୁର ନିର୍ବାଚନମଣ୍ଡଳୀ ପାଇଁ ଆଜି ଚାଲିଛି ମତଦାନ । ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁର ଆସନ ଓ କେ.ପି. ମୌର୍ଯ୍ୟ ଉପମୁଖ୍ୟମନ୍ତ୍ରୀ ହେବା ପରେ ଫୁଲପୁର ଆସନ ଖାଲି ପଡିଥିଲା । ତେବେ ବିଜେପିର ଗଡ କୁହାଯାଉଥିବା ଏହି ଦୁଇଟି ଆସନ ପାଇଁ ବିରୋଧୀଦଳ ସବୁପ୍ରକାର ରଣନୀତି ପ୍ରସ୍ତୁତ କରିଛନ୍ତି ।

ଗୋରଖପୁର ପାଇଁ ବିଜେପି ଉପେନ୍ଦ୍ର ଶୁକ୍ଳାଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ସମାଜବାଦୀ ପାର୍ଟି ଓ ବିଏସପି ମଧ୍ୟରେ ମେଂଟ ହୋଇଛି । ତେଣୁ ବିଏସପି ସମର୍ଥନରେ ସମାଜବାଦୀ ପାର୍ଟିର ପ୍ରବୀଣ ନିଷାଦ ଗୋରଖପୁରରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଫୁଲପୁରରେ ବିଜେପି କୌଶଳେନ୍ଦ୍ର ସିଂ ପଟେଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ସମାଜବାଦୀ ପାର୍ଟିର ନାଗେନ୍ଦ୍ର ସିଂ ନିର୍ବାଚନ ଲଢୁଛନ୍ତି ।