କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ଘର ଭିତରେ ପଶିଲେ, ଆଖିବୁଜା ଗୁଳିମାଡ କଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ । ଦୁର୍ବୃତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ଦୁଇ ଜଣ ଆହତ ହୋଇଛନ୍ତି । ଘଟଣା ପରେ ୨ଜଣ ଦୁର୍ବୃତଙ୍କୁ କାବୁ କରିଥିଲେ ଗାଁଲୋକେ । ରାଜନୈତିକ ଆକ୍ରୋଶ ନା ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଛି ଏହା ସ୍ପଷ୍ଟ ହୋଇପାରିନାହିଁ । ତେବେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

Advertisment

ଦିନ ପ୍ରାୟ ସାଢ଼େ ୨ଟା । ସ୍ଥାନ- ବବକରପୁର, ମହାକାଳପଡା । ଅବସରପ୍ରାପ୍ତ ଜିପିଓ ଅରବିନ୍ଦ ମିଶ୍ରଙ୍କ ଘର ଭିତରକୁ ଫଶି ଆସିଥିଲେ ଦୁଇ ଦୁବୃର୍ତ । ଅରବିନ୍ଦ କିଛି ବୁଝିବା ପୂର୍ବରୁ ଦୁବୃର୍ତମାନେ ଆଖିବୁଜା ଗୁଳିମାଡ କରିଥିଲେ । ତାପରେ ଘରେ ଥିବା ଅରବିନ୍ଦଙ୍କ ପୁଅ ଓ ପତ୍ନୀଙ୍କ ଉପରକୁ ଗୁଳି କରିଥିଲେ । ଗୁଳିମାଡରେ ଅରବିନ୍ଦଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି ।

ଗାଁ ଭିତରେ, ଦିନ ଦ୍ୱିପ୍ରହରରେ ଗୁଳିମାଡର ଶବ୍ଦ ଶୁଣି ଦୌଡାଦୌଡି ହୋଇ ଆସିଥିଲେ ଗ୍ରାମବାସୀ । କିନ୍ତୁ ଗାଁ ଲୋକ ପହଞ୍ଚିବା ବେଳକୁ ରକ୍ତର ହୋଲି ଖେଳି ସାରିଥିଲେ ଦୁବୃର୍ତ । ତିନି ତିନି ଜଣଙ୍କୁ ଗୁଳି କରି ସାରିଥିଲେ । ଲୋକଙ୍କୁ ଦେଖି ଦୁବୃର୍ତମାନେ ବାଇକ୍ ଧରି ଫେରାର ହୋଇଯାଉଥିବା ସମୟରେ ସେମାନଙ୍କୁ କାବୁ କରି ନେଇଥିଲେ ଗ୍ରାମବାସୀ । ଉତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କ ବାଇକକୁ ଜାଳି ଦେବା ସହ ରାସ୍ତା ଅବରୋଧ କରିଥିଲେ । ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ହେପାଜତକୁ ନେବା ସହ ଘଟଣାସ୍ଥଳରେ ପଡିଥିବା ଖୋକା ଓ ବ୍ୟାଗକୁ ଜବତ କରିଛି ।

ମହାକାଳପଡାର ଏକ ଗାଁ ଭିତରେ ଗୁଳିମାଡ ହେବା ଖବର ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ତେବେ ଦୁବୃର୍ତମାନେ କିଏ ଓ କାହିଁକି ଅରବିନ୍ଦଙ୍କ ଉପରେ ଆକ୍ରମଣ କଲେ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରଶ୍ନ ଉଠୁଛି ଗୁଳିକାଣ୍ଡ ପଛରେ କାରଣ କଣ । ଅରବିନ୍ଦଙ୍କର ରହିଥିଲା କି ପୂର୍ବ ଶତ୍ରୁତା ? ନାଁ ରାଜନୈତିକ ଶତ୍ରୁତାରୁ ଘଟିଛିି ଗୁଳିକାଣ୍ଡ ?