ଆଫଗାନିସ୍ତାନରୁ ଆସିଲା ଛାତି ଥରାଇ ଦେଲା ଭଳି ଦୃଶ୍ୟ । ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ପଛ ପଟେ ଗୁଳି ଫୁଟାଇ ଲୋକଙ୍କୁ ଭୟଭୀତ କରୁଛନ୍ତି ତାଲିବାନ, ଜୀବନ ଭୟରେ ଏଣେ ତେଣେ ଦୌଡୁଛନ୍ତି ଲୋକେ ।

645

କନକ ବ୍ୟୁରୋ : ଆଫଗାନିସ୍ତାନରୁ ଆସିଛି ଛାତିକୁ ଥରେଇ ଦେଲା ଭଳି ଦୃଶ୍ୟ । ପାକିସ୍ତାନର ମହିଳା ସାମ୍ବାଦିକ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଖବର ସଂଗ୍ରହ କରୁଥିବା ବେଳେ ତାଲିବାନ ଗୁଳି ଫୁଟାଉ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଇଣ୍ଡସ ଡଟ୍ ନ୍ୟୁଜର କରେସପଣ୍ଡେଣ୍ଟ ଓ ବିବିସି ଆରବିକର ବିଦେଶ ବ୍ୟାପାର ମାମଲାର ଖବରଦାତା ସୁମୈରା ଖାନ ଏବେ ଆଫଗାନିସ୍ତାନରେ ଖବର ସଂଗ୍ରହ ପାଇଁ ଯାଇଛନ୍ତି ।

ଆଜି ଆଫଗାନିସ୍ତାନର କୌଣସି ଏକ ସହରରେ ଖବର ସଂଗ୍ରହ କରିବା ସମୟରେ ସୁମୈରା ଖାନଙ୍କ ପଛ ପଟେ ତାଲିବାନ ଗାଡି ଉପରେ ଠିଆ ହୋଇ ଅନ୍ଧାଧୁଆଁ ବ୍ଲାଙ୍କ ଫାୟାର କରିଛନ୍ତି । ଲଗାତାର ଗୁଳି ମାଡ ଦେଖି ଭୟରେ ଲୋକେ ଏଣେତେଣେ ଦୌଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତାଲିବାନ କବଜା କରିବା ପରେ ଘର ଦ୍ୱାର ଛାଡି ଆଫଗାନ ନାଗରିକ ଅନ୍ୟ ଦେଶକୁ ପଳାୟନ କରିବା ପାଇଁ ରାସ୍ତା ଉପରେ ଭିଡ ଜମାଇଥିଲେ ।

ତେବେ ଏହି ଖବର ପାଇ ତାଲିବାନ ଆତଙ୍କୀ ଏକ ଗାଡିରେ ରାସ୍ତା ଉପରକୁ ଆସି ଲୋକଙ୍କୁ ନ ଯିବା ପାଇଁ ଚେତାବନୀ ଦେଇ ଗୁଳି ମାଡ କରିଛନ୍ତି । ଆତଙ୍କୀଙ୍କ ଏପରି ଅପ୍ରତ୍ୟାଶିତ କାଣ୍ଡରେ ଆଫଗାନ ଜନତା ଜୀବନ ଭୟରେ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଛି । ଗୁଳି ମାଡର ଶବ୍ଦରେ ପୁରା ଅଞ୍ଚଳ ଫାଟିପଡିବାରୁ ମହିଳା ସାମ୍ବାଦିକ ସୁମୈରା ଖାନ ମଧ୍ୟ ନିରବ ହୋଇଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।