ବାଣ ଫୁଟାଇବା ଓ ବିକ୍ରି : ଆଜି ଆସିପାରେ ଏସଆରସିଙ୍କ ଗାଇଡଲାଇନ

ଗତକାଲି ହାଇକୋର୍ଟ ଶୁଣାଣି କରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଗାଇଡଲାଇନ ଜାରି କରିବାକୁ ଦେଇଛନ୍ତି ନିର୍ଦ୍ଦେଶ; ପୂର୍ବରୁ ସେପ୍ଟେମ୍ବର ୩୦ରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର

223

କନକ ବ୍ୟୁରୋ : ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ନେଇ ଆଜି ଆସିପାରେ ଗାଇଡଲାଇନ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସଆରସି ଆଜି ଏହି ଗାଇଡ ଲାଇନ୍ ଜାରି କରିପାରନ୍ତି । କରୋନା ସଂକ୍ରମଣ ପାଇଁ ଗତମାସ ୩୦ ତାରିଖରେ ରାଜ୍ୟ ସରକାର ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ବାଣ ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛିି । ଆବେଦନର ଶୁଣାଣି କରି ହାଇକୋର୍ଟ ଏସଆରସିଙ୍କୁ ଗାଇଡ୍ ଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗାଇଡ୍ ଲାଇନ୍ ପ୍ରସ୍ତୁତ ବେଳେ ସୁପ୍ରିମକୋର୍ଟ ଏବଂ ଏନଜିଟିଙ୍କ ଗାଇଡ୍ ଲାଇନ୍ ଉପରେ ଧ୍ୟାନ ଦେବାକୁ କହିଛନ୍ତି ହାଇକୋର୍ଟ । ସୋମବାର ସୁଦ୍ଧା ନୂଆ ଗାଇଡ ଲାଇନ ବାବଦରେ ଏସଆରସିଙ୍କୁ ହାଇକୋର୍ଟରେ ଅବଗତ କରାଇବାକୁ କୁହାଯାଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ହେଉଛି ବାଣ ବ୍ୟବସାୟର ପେଣ୍ଠସ୍ଥଳ। ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଆଦି ଜିଲ୍ଲାର ଲୋକେ ଏଠାରୁ ବାଣ କିଣି ଖୁଚୁରା ବେପାର କରନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡ଼ୁ ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନି ହୋଇଥାଏ । ଜଟଣୀରେ ପ୍ରାୟ ୧୦ରୁ ଅଧିକ ପାଇକାରୀ ବେପାରୀ ଏହି ବେପାର କରନ୍ତି। ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣନ୍ତି । ତେବେ ପାର୍ବଣ ସମୟରେ ଏହି ବେପାର ଭଲ ହୁଏ । ବ୍ୟବସାୟୀମାନେ ମଧ୍ୟ ସରକାରଙ୍କୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଟିକସ ଦିଅନ୍ତି । ମାତ୍ର ଗତବର୍ଷଠାରୁ ଜଟଣୀରେ ବାଣ ବେପାର ମାନ୍ଦା ପଡ଼ିଛି। ମହାମାରୀ କରୋନା ପାଇଁ କଟକଣା ଲାଗୁ ହେଉଥିବାରୁ ବେପାର ଠପ୍‌ ହୋଇଯାଇଛି । ଚଳିତବର୍ଷ କିଛି ବେପାର ହେବ ବୋଲି ବ୍ୟବସାୟୀମାନେ ଆଶା କରିଥିଲେ ।

କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଓ କିଛି କିଛି କଟକଣା କୋହଳ ହୋଇଥିବାରୁ ବେପାରୀମାନେ ଭଲ ଆଶା କରିଥିଲେ। ମାତ୍ର ଦଶହରା କଟକଣା ଭିତରେ ଗଲା । ରାବଣ ପୋଡ଼ି ହେଲା ନାହିଁ । ତେଣୁ ବାଣ ବେପାର ହେଲା ନାହିଁ । ସେହିଭଳି ଗଜଲକ୍ଷ୍ମୀ ପୂଜା ବି କଟକଣାରେ ଶେଷ ହୋଇଛି। ଏବେ ଦୀପାବଳିକୁ ଅପେକ୍ଷା । ଯଦି ଦୀପାବଳି କଟକଣା ଭିତରେ ଚାଲିଯାଏ, ପାର୍ବଣ ଋତୁ ଆପାତତଃ ସରିଯିବ । ଦୀପାବଳି ପାଖେଇ ଆସିଲାଣି । କିନ୍ତୁ ବାଣ ବେପାର ଉପ‌ରେ ଲାଗୁ ହୋଇଥିବା କଟକଣା ଓ ତାହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲାର ଅନ୍ତ ହୋଇପାରିନାହିଁ । ଗତବର୍ଷ କଟକଣା ପାଇଁ ବ୍ୟବସାୟୀମାନେ ଆମଦାନି କରିଥିବା ବାଣ ବିକ୍ରି କରିପାରିନଥିଲେ । ଫଳରେ ବହୁ କ୍ଷତି ସହିଥିଲେ । ଏମିତିକି ଗତବର୍ଷ କିଣିଥିବା ବାଣ ପାଇଁ ଋଣ କରିଥିବା ଟଙ୍କାର ସୁଧ ୧୮ ମାସ ହେଲା ଗଣୁଛନ୍ତି । ଗତବର୍ଷର କ୍ଷତ ଶୁଖି ନଥିବା ବେଳେ ଚଳିତ ବର୍ଷର ଆଶଙ୍କା ସେମାନଙ୍କୁ ଆତଙ୍କିତ କରି ରଖିଛି ।