କନକ ବ୍ୟୁରୋ : ବିହାରର ସାରଣ ଜିଲ୍ଲାରେ ଜଣେ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯିବାରୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଭଳି ଘଟଣା ସାରଣ ଜିଲ୍ଲାର ଖେରା ଥାନା ଅଞ୍ଚଳ ଖୁଦାଇ ବାଗ ଗାଁରେ ଘଟିଛି । ଏଠାରେ ବାଣ ବ୍ୟବସାୟୀ ରବିଶ ହୋସେନଙ୍କ ଘରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଭଙ୍ଗା କୋଠାତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏଭଳି ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଘରଟି ନଦୀକୂଳରେ ହୋଇଥିବାରୁ ବିସ୍ଫୋରଣ ପରେ ଏହି ଜଳିବା ସହ ଘରର କିଛି ଅଂଶ ନଦୀମଧ୍ୟକୁ ଗଳିପଡିଛି । କୁହାଯାଉଛି କି ବିସ୍ଫୋରଣ ବେଳେ ଘର ଭିତରେ ୧୦ ରୁ ଅଧିକ ଲୋକ ଥିଲେ   । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ଗଳିପଡିଥିବା ଘରତଳେ ଚାପି ହୋଇ ରହିଥିବା ଆଶଂକା କରାଯାଉଛି ।

Advertisment

କୁହାଯାଉଛି କି, ଯେଉଁ ଘରେ ବିସ୍ଫୋରଣ ହୋଇଛି ସେହି ଘର ଭିତରେ ବାଣ ପ୍ରସ୍ତୁତ କରାଯାଉଥିଲା । ଘର ଭିତରେ ଲଗାତର ୧ ଘଂଟା ଧରି ବାଣଗୁଡିକ ବିସ୍ଫୋଟିତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ଘର ଭିତରକୁ ପଶିବାରେ ଅକ୍ଷମ ହୋଇଥିଲେ ।

ସାରଣ ଜିଲ୍ଲା ଏସପି ସନ୍ତୋଷ କୁମାର ଜାତୀୟ ଗଣମାଧ୍ୟମ ଏଏନଆଇକୁ କହିଛନ୍ତି କି ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଏହାସହ କିଛି ଲୋକ ଘର ତଳେ ଚାପି ହୋଇ ରହିଛନ୍ତି । ହେଲେ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।