ନିଆଁରେ ଜଳିଗଲା ସ୍ୱପ୍ନ । ମାର୍ଚ୍ଚ ୧୧ରେ ହୋଇଥାନ୍ତା ଝିଅ ବାହାଘର, ତା ପୂର୍ବରୁ ନିଆଁ ଆଁରେ ସର୍ବସ୍ୱ ହରାଇଲେ ବିଶ୍ୱନାଥଙ୍କ ପରିବାର ।

633

କନକ ବ୍ୟୁରୋ : ନିଆଁ ଗିଳିଦେଲା ଝିଅ ବାହାଘର ପାଇଁ ଥିବା ସାମଗ୍ରୀ । ଝିଅ ବାହାଘର ମାର୍ଚ୍ଚ ୧୧ ତାରିଖରେ ବାହାଘର ଥିବା ପୋଡା ପାଉଁଶ ତଳୁ ସାମଗ୍ରୀ ସାଉଁଟୁଛି ପରିବାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୩ଟି ବଖରା ଭସ୍ମୀଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇ ଯାଇଛି ।

ଗତକାଲି ରାତିରେ ବାଉଁଶକଣା ମାଟିଆ ସାହିର ବିଶ୍ୱନାଥ ପଧାନଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଆଖପାଖର ଘରକୁ ବ୍ୟାପିଯାଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।

ତେବେ ନିଆଁ ଆୟତ୍ତ ହେବା ପୂର୍ବରୁ ସବୁ କିଛି ଗିଳି ସାରିଥିଲା । ଖାସକରି ବିଶ୍ୱନାଥଙ୍କ ପରିବାର ପାଇଁ ନିଆଁ ନେଇ ଆସିଥିଲା ବଡ ବିପଦ । କାରଣ ଆଉ ଦିନ କେଇଟା ପରେ ଝିଅକୁ ବାହା ଦେଇଥାନ୍ତେ ବିଶ୍ୱନାଥ । ନିର୍ବନ୍ଧ ସରିଥିବା ବେଳେ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିଲା । ଲୁଗା ପଟା ଠାରୁ ଆରମ୍ଭ କରି ସୁନା ଗହଣା, ବିବାହ ପାଇଁ ସବୁ ସାମଗ୍ରୀ କିଣା ସରିଥିଲା । କିନ୍ତୁ ଗୋଟିଏ ରାତି ହିଁ ସବୁକିଛି ବଦଳାଇ ଦେଇଥିଲା । ଆଖି ପିଛୁଳାକେ ସବୁ କିଛି ପୋଡି ଛାରଖାର ହୋଇଯାଇଥିଲା । କେବଳ ପିନ୍ଧାଲୁଗା ଛାଡିଦେଲେ ଆଉ ସବୁକିଛି ଶେଷ ହୋଇ ଯାଇଥିଲା ନିଆଁର ଆଁରେ । ଆଉ ଏବେ ଝିଅ ବାହାଘର କେମିତି ହେବ ଓ ବାହାଘର ପାଇଁ ଏତେ ଟଙ୍କା କେଉଁଠୁ ଆସିବ ସେହି ଚିନ୍ତା ଏବେ ବିଶ୍ୱନାଥଙ୍କୁ ଘାରିଛି । ନିଆଁରେ ସର୍ବସ୍ୱ ହରାଇବା ପରେ ପ୍ରଶାସନ ପକ୍ଷରୁ କେବଳ ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ କୌଣସି ସହାୟତା ଏଯାଏଁ ମିଳିନାହିଁ । ମାର୍ଚ୍ଚ ୧୧ରେ ଝିଅର ବାହାଘର ଥିବା ବେଳେ ସରକାରଙ୍କ ଠାରୁ କିଛି ସହାୟତା ଆଶାରେ ବିଶ୍ୱନାଥଙ୍କ ପରିବାର ।