ଅହମ୍ମଦାବାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡରେ ପରେ ରାଜ୍ୟ ସରକାର ସଜାଗ୍ : ସମସ୍ତ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ଯାଂଚ; ନିର୍ଦ୍ଦେଶ ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତ

138

କନକ ବ୍ୟୁରୋ : ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲର ହେବ ଅଗ୍ନି ନିରାପତାର ଯାଂଚ । କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତଦାରଖ କରିବେ ଅଧିକାରୀ । ଅହମ୍ମଦାବାଦ ସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍ ମହାନ୍ତି । ଆସିଷ୍ଟାଂଟ ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରମାନଙ୍କୁ ନିଜ ନିଜ ଅଂଚଳରେ ଥିବା କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଂଟରର ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଯେଉଁଠି ଠିକ୍ ବ୍ୟବସ୍ଥା ନଥିବ ସେଠିକାର ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅହମ୍ମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯାଇଛି ।

ସେପଟେ ଅହମ୍ମଦାବାଦ କୋଭିଡ ହସ୍ପିଟାଲ ଦୁର୍ଘଟଣାକୁ ନେଇ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅଗ୍ନିକାଣ୍ଡରେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।