ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ନିଆଁ ଲିଭା କାମରେ ନିୟୋଜିତ ୧୦୫୦ ବନ କର୍ମଚାରୀ । କାଲି ସୁଦ୍ଧା ରିପୋର୍ଟ ମାଗିଲେ ସରକାର ।

199

କନକ ବ୍ୟୁରୋ: ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ଆଉ ଯାହାକୁ ଲିଭାଇବା ପାଇଁ ୧୦୫୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ଓ ୪୦ଟି ଗାଡିକୁ ନେଇ ନିଆଁ ଲିଭା କାମ ଜାରି ରହିଛି । ଅନ୍ୟପଟେ ଜଙ୍ଗଲ ଜଳିବା ନେଇ କାଲି ସୁଦ୍ଧା ରିପୋର୍ଟ ଦେବାକୁ କହିଛନ୍ତି ସରକାର । ତା ସହିତ ନିଆଁ ଲାଗିବାର କାରଣ ଖୋଜିବା ପାଇଁ ଶିମିଳିପାଳ ପିସିସିଏଫ ୱାଇଲଡ ଲାଇଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ନିଆକୁ ଆୟତ୍ତ କରିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ଏବେ ବି ଜଙ୍ଗଲ ଜଳୁଥିଲେ ବି କୋର ଏରିଆକୁ ନିଆଁ ବ୍ୟାପି ନାହିଁ । କେବଳ ପାହାଡର ପାଦଦେଶରେ ନିଆଁ ରହିଛି । ଯାହାକୁ ଲିଭାଇବାକୁ ହଜାରେରୁ ଅଧିକ ବନ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ଏ ନେଇ ଖବର ପ୍ରସାରଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରକାଶ ଜାଭେଡକର ।

ଅନ୍ୟପଟେ ଜଙ୍ଗଲରେ ନିଆଁ ନେଇ ମୟୁରଭଞ୍ଜ ମହାରାଣୀ କନକ ନ୍ୟୁଜକୁ କହିଛନ୍ତି ସମାଧାନର ବାଟ । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଏକ ଟିମ ଗଠନ କରିବାକୁ ସେ ଦାବି କରିଛନ୍ତି । କହିଛନ୍ତି, ଜଙ୍ଗଲ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର । ପରିବେଶ ନଷ୍ଟ ହେଲେ ପାଣିପାଗ ପ୍ରଭାବିତ ହେବ । ଦଣ୍ଡ ନୁହେଁ ଏ ବାବଦରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ । ନିଆଁ ଲାଗିବା ଯୋଗୁଁ ପଶୁପକ୍ଷୀ ଓ ଆଖପାଖର ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।