ଚିନ୍ତା ବଢ଼ାଇଲା ଶିମିିଳିପାଳ ନିଆଁ । ପାଦଦେଶ ଓ କୋର୍ ଅଂଚଳର କିଛି ଜଙ୍ଗଲରେ ଲାଗିଛି ସାଂଘାତିକ ନିଆଁ । କାଲି ସୁଦ୍ଧା ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ।

97

କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ । ଶିମିଳିପାଳ ପାଦଦେଶ ଏବଂ କୋର୍ ଅଂଚଳରେ ଏବେ ନିଆଁ ମାଡିଚାଲିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନିଆଁର କିଛି କିଲୋମିଟର ଦୂରରେ ରହିଛି ଶିମିଳିପାଳ ଅଭୟାରଣ୍ୟ । ୨୭୫୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ୧୩ଟି ନଦୀ, ୪ କିସମର ଜଙ୍ଗଲ, ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଏବଂ ୨୩୧ ପ୍ରଜାତିର ପକ୍ଷୀ ବସବାସ କରନ୍ତି । ଆଉ ଯଦି ଏହି ନିଆଁ ଶିମିଳିପାଳ ଅଭୟାରଣ୍ୟର କୋର୍ ଅଂଚଳକୁ ମାଡ଼ି ଯାଏ, ତେବେ ଏହା ବଡ଼ ସଂକଟ ଆଣିପାରେ ।

ଶିମିଳାପାଳ ଅଭୟାରଣ୍ୟରେ ୨ ଶହରୁ ଅଧିକ କଲରାପତରିଆ ବାଘ ଏବଂ ପ୍ରାୟ ୨୧ଟି ମହାବଳ ବାଘ ଅଛନ୍ତି । ଏଥିସହ ଜୈବ-ବିବିଧତାକୁ ବଜାୟ ରଖିବାରେ ମଧ୍ୟ ଏହା ପ୍ରମୁଖ ଭୂମିକା ରହିଥାଏ । ହେଲେ ଗୋଟିଏ ସପ୍ତାହ ହେଲା ଜଙ୍ଗଲ ଓ ଏହାର ଆଖପାଖ ଅଚଂଳ ଜଳୁଛି । ତେଣୁ ଠିକଣା ସମୟରେ ଯଦି ଏହାକୁ କାବୁ କରାନଯାଏ, ତେବେ ନିଆଁ କୋର୍ ଅଂଚଳକୁ ମାଡ଼ି ଯିବାର ଭୟ ବଢୁଛି । ଏଣେ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗକୁ ନାକେଦମ୍ ହେବାକୁ ପଡିଛି ।

ଅନ୍ୟପଟେ ଶିମିଳିପାଳର ଆଖପାଖ ଅଂଚଳରେ ଅଗ୍ନିକାଣ୍ଡ ଖବରକୁ ନେଇ ମୟୁରଭଞ୍ଜ ରାଜ ପରିବାର ପ୍ରତିକ୍ରିୟା ରଖିବା ପରେ, ଏହି ପ୍ରସଙ୍ଗ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ପହଂଚିଛି । ନିଆଁ ଲାଗିବାର କାରଣ ଖୋଜିବା ପାଇଁ ପିସିସିଏଫ ୱାଇଲଡ ଲାଇଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ନିଆଁ ଲିଭାଇବା ପାଇଁ ୧ ହଜାର ୫୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୮ଶହ ଜଣ ବନ ବିଭାଗ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳି ନିଆଁ ଲିଭା କାମ ଜାରି ରଖିଛନ୍ତି । ଏହାସହ ୪୦ଟି ଗାଡି ଏହି କାମରେ ଲାଗିଛି ।

ଜଙ୍ଗଲରେ ନିଆଁ ନେଇ ମୟୁରଭଞ୍ଜ ମହାରାଣୀ କନକ ନ୍ୟୁଜକୁ କହିଛନ୍ତି, ଜଙ୍ଗଲ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର । ପରିବେଶ ନଷ୍ଟ ହେଲେ ପାଣିପାଗ ପ୍ରଭାବିତ ହେବ । ତେଣୁ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ତେବେ ଗୋଟିଏ ସପ୍ତାହ ଧରି ଏକାଧିକ ଜଙ୍ଗଲ ଓ ପାହାଡ଼ରେ ନିଆଁ ଲାଗିଥିଲେ ବି ସେଭଳି କୌଣସି ତତ୍ପରତା ପ୍ରକାଶ ପାଇନଥିଲା । ଏ ନେଇ ଖବର ପ୍ରସାରଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରକାଶ ଜାଭେଡକର ।