ପେଟ୍ରୋଲ୍ ପମ୍ପରେ ତେଲ ଭରୁ ଭରୁ ଅଚାନକ୍ ଜଳିଉଠିଲା ବାଇକ୍ । କେହି କିଛି ବୁଝିବା ପୂର୍ବରୁ ଜଳି ପୋଡି ପାଉଁଶ ହୋଇଗଲା ଗାଡି । ଟାଙ୍କିରେ ତେଲ ପକାଇବା ସମୟରେ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ୍; ନଚେତ୍ ଆପଣଙ୍କ ସହ ବି ଘଟିପାରେ ଏଭଳି ଦୁର୍ଘଟଣା

1,316

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ଆପଣ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ । ଆପଣଙ୍କର ଏହି ଗୋଟିଏ ଭୁଲ୍ ପାଇଁ ଚାଲିଯାଇପାରେ ଜୀବନ । କାହିଁକି ନା ଆଜି ଆମେ ଆପଣଙ୍କୁ ଯେଉଁ ଛାତିଥରା ଦୃଶ୍ୟ ଦେଖାଇବୁ ତାକୁୁ ଦେଖିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆଉ ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ପେଟ୍ରୋଲ ପକାଇଲା ବେଳେ ହଠାତ୍ ଲାଗିଗଲା ନିଆଁ । ଚାହୁଁ ଚାହୁଁ ପୋଡି ଜଳି ପାଉଁଶ ହୋଇଗଲା ବାଇକ୍ । ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଏହି ଭିଡିଓଟି ହେଉଛି ଏକ ପେଟ୍ରୋଲ ପମ୍ପର । ଯେଉଁଥିରେ ଜଣେ ବ୍ୟକ୍ତି ତେଲ ଟାଙ୍କିରେ ତେଲ ଭରିବା ସମୟରେ ହଠାତ୍ ଜଳିଉଠିଥିଲା ବାଇକ୍ । ତେବେ କୁହାଯାଉଛି ଯେ, ବ୍ୟକ୍ତି ଜଣକ ଟାଙ୍କିରେ ତେଲ ପକାଉଥିବା ବେଳେ ତାଙ୍କ ମୋବାଇଲ୍ ଫୋନଟି ରିଂ ହୋଇଥିଲା ଆଉ ଠିକ୍ ଏହି ସମୟରେ ହିଁ ନିଆଁ ଜଳିଉଠିଥିଲା । ଚାହୁଁ ଚାହୁଁ ନିଆଁଟି ଚାରିଆଡେ ବ୍ୟାପିଯିବା ସହ ବାଇକ ଏବଂ ତେଲ ପାଇପକୁ ବି ନିଆଁ ଧରି ପକାଇଥିଲା । ମାତ୍ର ପେଟ୍ରୋଲ ପମ୍ପର କର୍ମଚାରୀମାନେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ କରିଦେଇଥିଲେ । ଫଳରେ କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ତାହା ଟଳିଯାଇଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଛାତିଥରା ଭିଡିଓଟି ଛତିଶଗଡ ବେମେତରା ଜିଲ୍ଲାରେ ଥିବା ଏକ ପେଟ୍ରୋଲ ପମ୍ପର ବୋଲି ଜଣାପଡିଛି । ଆଉ ନିଆଁ ଲାଗିବାର ପୂରା ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।

ତେଣୁ ଆପଣଙ୍କୁ ଆମର ଅନୁରୋଧ ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ମୋବାଇଲ ଫୋନ କିମ୍ବା କୌଣସି ଦହନଶୀଳ ଜିନିଷ ଆଦୌ ବ୍ୟବହାର କରନ୍ତୁ ନାହିଁ ।