ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ । ସୋସିଆଲ ମିଡିଆ ବ୍ୟାନ୍ କଲା ଇମ୍ରାନ ସରକାର ।

220

କନକ ବ୍ୟୁରୋ: ଫ୍ରାନ୍ସ ବିରୋଧୀ ହିଂସାକୁ ନେଇ ଏବେ ଜଳୁଛି ପାକିସ୍ତାନ । ଗତ ସୋମବାର ଠାରୁ ଫ୍ରାନ୍ସ ବିରୋଧୀ ହିଂସା ଆରମ୍ଭ ହେବା ପରେ ପାକିସ୍ତାନର ପରିସ୍ଥିତି ଅଣାୟତ୍ତ ହୋଇଛି । ସହରରୁ ସହରକୁ ଏବେ ବ୍ୟାପି ଚାଲିଛିି ହିଂସା । ଏହି ହିଂସାକାଣ୍ଡ କାରଣରୁ ପୋଲିସ ଗୁଳିରେ ୧୨ ଜଣଙ୍କ ଜୀବନ ଗଲାଣି ଓ ୪୦ରୁ ଅଧିକ ଆହତ ହୋଇଛନ୍ତି । ଗତ ବର୍ଷ ଫ୍ରାନ୍ସ ଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ପାକିସ୍ତାନର ମୌଳବାଦୀ ସଂସ୍ଥା ତେହରିକ-ଇ-ଲବାଇବ ପାକିସ୍ତାନ ବା ଟିଏଲପି ବିରୋଧ କରିଛି । ଏହାର ପ୍ରତିବାଦରେ ଟିଏଲପି ପାକିସ୍ତାନରେ ଥିବା ଫ୍ରାନ୍ତ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ସହିତ ଫ୍ରାନ୍ସ ସହିତ ବାଣିଜ୍ୟ ସଂପର୍କ ଛିନ୍ନ କରିବାକୁ ଦାବି କରିଛି । ଏପରି ହିଂସାକାଣ୍ଡ ପରେ ପାକିସ୍ତାନ ସରକାର ଟିଏଲପିକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଏହାର ମୁଖ୍ୟ ସାଦ୍ ହୁସେନ ରିଜଭିକୁ ଗିରଫ ବି କରାଯାଇଛି ।

ଟିଏଲପିର ଅଭିଯୋଗ ହେଉଛି ଫ୍ରାନ୍ସରେ ପ୍ରକାଶିତ ବିବାଦୀୟ କାର୍ଟୁନରେ ମହମ୍ମଦଙ୍କ ଅବମାନନା କରାଯାଇଛି । ଏହାକୁ ନେଇ ହିଂସା ଏବେ ଉଗ୍ର ରୂପଣ ଧାରଣ କରିଥିବାରୁ ପାକିସ୍ତାନ ସରକାର ପାକିସ୍ତାନରେ ଅସ୍ଥାୟୀ ଭାବରେ ସମସ୍ତ ସୋସିଆଲ ମିଡିଆକୁ ବ୍ୟାନ୍ କରିଛନ୍ତି । ଫେସବୁକ୍, ହ୍ୱାଟସଆପ୍, ଟୁଇଟର, ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଶୁକ୍ରବାର ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବ୍ୟାନ୍ କରାଯାଇଛି ।

ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ପରେ ଫ୍ରାନ୍ସ ସରକାର , ଫ୍ରାନ୍ସ ନାଗରିକଙ୍କୁ ତୁରନ୍ତ ପାକିସ୍ତାନ ଛାଡିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ପାକିସ୍ତାନରେ ଥିବା ଫ୍ରାନ୍ସ ଦୂତାବାସ ନିକଟରେ ବଢାଇ ଦିଆଯାଇଛି ସୁରକ୍ଷା । ପାକିସ୍ତାନରେ ଟିଏଲପିକୁ ବ୍ୟାନ କରିବା ଓ ସୋସିଆଲ ମିଡିଆ ଉପରେ କଟକଣା ଲାଗୁକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚା ଉଠିଛି । ଇମ୍ରାନ ସରକାରଙ୍କ ଏହା ତରବରିଆ ନିଷ୍ପତି ବୋଲି କୁହାଯାଉଛି । ଗତବର୍ଷ ନଭେମ୍ୱର ମାସରେ ଟିଏଲପି ପକ୍ଷରୁ ପାକିସ୍ତାନରେ ହୋଇଥିଲା ହିସାତ୍ମକ ବିରୋଧ ପ୍ରଦର୍ଶନ । ଚଳିତ ବର୍ଷ ସମାନ ଧରଣର ପ୍ରଦର୍ଶନ ପରେ ତେହରିକ-ଇ-ଲବାଇବ ପାକିସ୍ତାନ ବା ଟିଏଲପିକୁ ନିଷିଦ୍ଧ ଘୋଷଣା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପାକ୍ ସରକାର । ଆଗକୁ ଏହାକୁ ନେଇ ଟିଏଲପି ପାକିସ୍ତାନର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରେ ।