ମୁମ୍ବାଇ ତାରେଦାଓରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମହଲା ବିଲ୍ଡିଂର ୧୮ ମହଲାରେ ଲାଗିଲା ନିଆଁ । ୭ ମୃତ, ୨୨ରୁ ଅଧିକ ଆହତ 

131

କନକ ବ୍ୟୁରୋ: ଆପାର୍ଟମେଂଟ୍ରେ ଅଗ୍ନିକାଣ୍ଡ । ୨୦ ମହଲା ବିଲ୍ଡିଂର ୧୮ ନମ୍ବର ମହଲାରେ ଭୟଙ୍କର ନିଆଁଲାଗି ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୨ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ତାରଦେଓ ଅଂଚଳରେ ଥିବା କମଲା ଆପାର୍ଟମେଂଟ୍ରେ ।

ମୁମ୍ବାଇରେ ତାରଦେଓ ଅଂଚଳରେ ଥିବା ଏକ ୨୦ ମହଲା ବିଲଡିଂରେ ଭିଷଣ ଅଗ୍ନିକାଣ୍ଡ । ବିଲଡିଂର ୧୮ ନମ୍ବର ମହଲାରେ ନିଆଁ ଲାଗିବା ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।  ଝରକା ଫାଙ୍କରୁ ହୁ ହୁ ହୋଇ ନିଆଁ ଜଳୁଥିବାର ଦୃଶ୍ୟ ଆଖ ପାଖରେ ଥିବା ଲୋକଙ୍କୁ ଆତଙ୍କିତ କରିଛି । ବିଲଡିଂରୁ ଏତେ ଅଧିକ ମାତ୍ରାରେ ଧୂଆଁ ବାହାରିଛି ଯେ, ସାରା ଅଂଚଳକୁ ଧୁଆଁ ମୟ କରି ଦେଇଛି । ଅଗ୍ନିକାଣ୍ଡର ସୂଚନା ପାଇ ଦମକଳ ବାହିନୀର ୨୦ଟି ଗାଡି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ ୭ଜଣ ପ୍ରାଣ ହରାଇଥିବାବେଳେ, ୨୨ରୁ ଅଧିକ ଆହତଙ୍କୁ ନିକଟସ୍ଥ ଭାଟିଆ ହସ୍ପିଟାଲରେ ଭର୍ତି କରାଯାଇଛି

କମଲା ଆପାର୍ଟମେଂଟ୍ରେ ସବୁଦିନ ପରି ସବୁକିଛି ଠିକ ଠାକ ଚାଲିଥିଲା । ସକାଳୁ ଯେ ଯାହା କାମରେ ବ୍ୟସ୍ତ ଥିଲେ । କିଏ ଘର କାମରେ ବ୍ୟସ୍ତ ଥିଲା ତ କିଏ ଅଫିସ ବାହାରିବା ପାଇଁ ତରବର ହେଉଥିଲା । କିନ୍ତୁ ହଠାତ ବିଲ୍ଡିଂରେ ନିଆଁ ଲାଗିବା ଦେଖି ସମସ୍ତଙ୍କ ମନରେ ଆତଙ୍କ ଖେଳି ଯାଇଥିଲା । ଦେଖୁ ଦେଖୁ ବିଲ୍ଡିଂର ୧୮ ନମ୍ବର ମହଲା ନିଆଁ କବଳରେ ଆସିଯାଇଥିଲା । ଘଟଣା ସ୍ଥଳରେ ମୁମ୍ବାଇ ମେୟର କିଶୋରୀ ପେଦନେକର ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଡାକ୍ତରଖାନାରେ ଆହତଙ୍କୁ ମଧ୍ୟ ଭେଟିଛନ୍ତି ମେୟର ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକ ପରିବାରକୁ ୨ ଲକ୍ଷ ଓ ଆହତ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୋଦୀ । ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି