କନକ ବ୍ୟୁରୋ : ଏବେ ବି ଜଳୁଛି ଶିମିଳିପାଳ ଜଙ୍ଗଲ । ଯେତେ ଯାହା ଉଦ୍ୟମ କଲେ ବି ଲିଭିବାର ନାଁ ଧରୁନି । ନିଆଁ ଲିଭାଇବାରେ ନାକେଦମ୍ ହେଲାଣି ବନବିଭାଗ । ହଜାରରେ ରୁ ଅଧିକ ବନକର୍ମଚାରୀ ଏହି ନିଆଁ ଲିଭା କାମରେ ଲାଗିଛନ୍ତି । ଗୋଟିଏ ଜାଗାରେ ନିଆଁ ଲିଭାଇବାକୁ ବେଳକୁ ଅନ୍ୟ ଏକ ସ୍ଥାନରେ ପୁଣି ନିଆଁ ଲାଗିଯାଉଛି । ଗତକାଲି ରାତିରେ ଭଂଜବସା ଏବଂ ପୋଡାଡିହା ରେଂଜରେ ପାଖାପାଖି ୫ କିଲୋମିଟର ବ୍ୟାପୀ ଅତି ଭୟଙ୍କର ଭାବରେ ନିଆଁ ଲାଗିଥିଲା । ରାତି ଅନ୍ଧାରରେ ଜୀବନକୁ ବାଜି ଲଗାଇ ବନକର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଏହାକୁ ପୁରା କାବୁ କରିବାରେ ବିଫଳ ରହିଛନ୍ତି । ଏପରି ନିଆଁକୁ ଦେଖି ଜୈବ ବିବିଧତା ଶିମିଳିପାଳ ପ୍ରତି ବଡ ବିପଦ ସୃଷ୍ଟି ହୋଇଛି ।
ସେପଟେ, ଭଂଜନଗର ସହର ଓ ଏହା ଆଖପାଖ ଅଚଂଳ ସମ୍ପୂର୍ଣର୍ ଧୁଆଁ ମୟ । ଗତ ସପ୍ତାହେ ହେବ ଭଂଜନଗର ଘୁମୁସର ଉତର ଓ ଦକ୍ଷିଣ ବନ ଖଣ୍ଡର ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ । ଖରାର ପ୍ରକୋପ ସାଙ୍ଗକୁ ଜଙ୍ଗଲର ନିଆଁ ଯୋଗୁଁ ସହରର ତାପମାତ୍ରା ଏବେ ୪୦ ଡ଼ିଗ୍ରୀରେ ପହଁଚିଲାଣି । ଉତର ଘୁମୁସର ଜଙ୍ଗଲରେ ଗତ ୭ ଦିନରେ ପାଖାପାଖି ୧୧୦ ଟି ସ୍ଥାନରେ ନିଆଁ ଲାଗିଛି । ମୁଜାଗଡ଼ ବନାଚଂଳ, କେନ୍ଦୀ ବନାଚଂଳ, ଗାଲେର ଓ ତାରସିଂ ରେଜଂରେ ଜଳୁଛି ଜଙ୍ଗଲ । ଗତ ୧ ତାରିଖରେ ୧୩ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ୨ ତାରିଖରେ ୬୩ ଟି, ୩ରେ ୧୬ ଟି, ୪ ତାରିଖରେ ୬ ଟି ରେଜଂର ୧୮ଟି ନୂଆ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିଲା । ଏହି ରିପୋର୍ଟ ସାଟେଲାଇଟ୍ ମାଧ୍ୟମରେ ବିଭାଗ ପାଖକୁ ଆସିଥିବା ସୂଚନା ମିଳିଛି । ରଗଡ଼ା, ଆମ୍ବଝରୀ, ଚନ୍ଦ୍ରଗିରି, ରମ୍ଭା, ଦୁର୍ଗାପ୍ରସାଦ, ବୁଢ଼ାକେନ୍ଦୁ, ଜିଲୁଣ୍ଡି, ଦଦରାଲୁଣ୍ଡା ଓ ଗାଲେରୀ ଜଙ୍ଗଲ ସହ କନ୍ଧମାଳ ଗଂଜାମ ସିମାରେ ଥିବା କଳିଙ୍ଗା ଘାଟିର ସବୁ ପାହାଡ଼ରେ ଏବେ ନିଆଁ ଜଳୁଛି । ଗତକାଲି ୪ ଟି ଦମକଳ ଗାଡ଼ି କଳିଙ୍ଗା ଘାଟିରେ ଲାଗିଥିବା ନିଆଁକୁ କାବୁ କରିବାକୁ ଯାଇ ଫେରିଥିବାବେଳେ ଜଙ୍ଗଲରୁ ନିଆଁ ଲିଭିବାର ନାଁ ନେଉନି । ଏଭଳି ସ୍ଥିତିରେ ଡ଼ିଏଫଓଙ୍କ ନିର୍ଦ୍ଦେଶ ରହିଛି ନିଆଁଲିଭା କାର୍ଯ୍ୟରେ ଯେଉଁ କର୍ମଚାରୀ ଅବହେଳା କରିବେ ତାଙ୍କ ବିରୋଧରେ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବେଆଇନ୍ ଇଟାଭାଟି ଓ ଜଙ୍ଗଲ ନିଆଁ ପରିବେଶକୁ ଏବେ ଉତପ୍ତ କରିପକାଇଛି ।