ଲଣ୍ଡା ହୋଇଯାଉଛି ମାଲକାନଗିରିର ବଣ୍ଡାଘାଟି ପାହାଡ । ପୋଡୁ ଚାଷ ପାଇଁ ଜଙ୍ଗଲ ଜଳାଉଛନ୍ତି ସ୍ଥାନୀୟ ବାସିନ୍ଦା ।

84

କନକ ବ୍ୟୁରୋ: ନିଆଁ ଖାଇଗଲା ସବୁଜିମା ଆଉ ଲଣ୍ଡା ହୋଇଗଲା ଆଦିମ ଜନଜାତିର ବଣ୍ଡା ପାହାଡ । ଗତ ୪ ଦିନ ହେବ ବଣ୍ଡାଘାଟିରେ ଜଙ୍ଗଲ ପୋଡିବା ପରେ ଧୂଆଁରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଅଂଚଳବାସୀ ପୋଡୁ ଚାଷ ଲାଗି ଅବକ୍ଷୟ ହେବାରେ ଲାଗିଛି ବଣ୍ଡାଘାଟିର ଜଙ୍ଗଲ ଏବଂ ନିଆଁ ପୋଡିରେ ମାଟିରେ ଲୋଟି ପଡୁଛି ଶହ ଶହ ଗଛ । ଖାଲି ସେତିକି ନୁହେଁ, ନିଆଁରୁ ବାହାରୁଥିବା ଧୂଆଁରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି ।

ମାଲକାନଗିରି ଜିଲା ବଣ୍ଡାଘାଟିରେ ଏବେ ମାଟିରେ ଲୋଟି ପଡିଛି ଶହ ଶହ ଗଛ । କେଉଁଠି ନିଆଁରେ ପୋଡିଛି ତ ଆଉ କେଉଁଠି ପାହାଡରୁ ଗଛ କାଟି ସଫା ହୋଇଛି । ପୋଡୁ ଚାଷ ପାଇଁ ବଳି ପଡୁଛି ଗଛ ଓ ବାଜିରେ ଲାଗିଛି ମାଲକାନଗିରିର ଜୈବ ବିବିଧତା । ବଣ୍ଡାଘାଟିରେ ୮ଟି ପାହାଡରେ ୪ ଦିନ ହେଲା ନିଆଁ ଲାଗିଛି । ଧୂଆଁର ବଳୟରେ ଘୋଡେଇ ହୋଇଛି ପୁରା ପାହାଡ । ଧୁଆଁ ଯୋଗୁଁ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି ।

ପୋଡୁ ଚାଷ ପାଇଁ ଜଙ୍ଗଲ ଜାଳି ଦେଉଛନ୍ତି ଲୋକେ । ଏହା ବଣ୍ଡାଘାଟିର ସବୁଜିମାକୁ ନଷ୍ଟ କରୁଛି, ଜଙ୍ଗଲି ଜନ୍ତୁଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଛି । ଘାଟି ଅଂଚଳରେ ବନ ବିଭାଗର ସଚେତନତା ଅଭାବରୁ ଲୋକେ ଜଙ୍ଗଲ ଜାଳି ପୋଡୁଚାଷ କରୁଛନ୍ତି । ଚାଷ ପାଇଁ ଜଙ୍ଗଲ ସଫା ହେଉଥିବାରୁ ସମଗ୍ର ଅଂଚଳରେ ବିପଦ ମୁହାଁ ହୋଇଛି । ଘାଟିରେ ନିଆଁ ଲାଗିଥିବା କଥାକୁ ମାନିଥିଲେ ମଧ୍ୟ କ୍ୟାମେରା ଆଗରେ ମତ ରଖିବାକୁ ମନା କରିଛନ୍ତି ବନ ବିଭାଗ କର୍ମଚାରୀ । ଏକ ସ୍ୱତନ୍ତ୍ର ଟିମ ଗଠନ କରି ଜଙ୍ଗଲ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଥିବା ବନ ବିଭାଗ ସୂଚନା ଦେଇଛି ।