ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ଦିଆଗଲା ରିପୋର୍ଟ । ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।

131

କନକ ବ୍ୟୁରୋ: ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଆୟତ୍ତାଧୀନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ପଦକ୍ଷେପ ଯୋଗୁ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ କରି ହୋଇଛି ବୋଲି ଆଜି ରିପୋର୍ଟ ଦେଇଛି ଫରେଷ୍ଟ ଟାସ୍କ ଫୋର୍ସ ।

ଏଥିସହିତ ଆଗାମୀ ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ସେମାନଙ୍କ ଅଂଚଳର ବନାଗ୍ନି ପ୍ରସାରକୁ ରୋକିବାକୁ ସତର୍କ ଓ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଭାବେ ଯୋଗାଯୋଗରେ ରହିବାକୁ ଆରସିସିଏଫ୍ ଓ ଡିଏଫଓମାନଙ୍କୁ ପରାମର୍ଶ ଦିଆଯାଇଛି ।

ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଓଡ୍ରାଫ୍ ଦଳ ଜଙ୍ଗଲ କର୍ମଚାରୀଙ୍କ ସହିତ ଜଙ୍ଗଲ ଲିଭାଇବାରେ ସକ୍ରିୟ ଅଛନ୍ତି । ଏଥିସହ କେନ୍ଦ୍ରରୁ ଆସିଥିବା ଦଳ, ସେମାନଙ୍କର ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରୀଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି । ଏବଂ ସୋମବାର ଦିନ ସରକାରଙ୍କ ସହ ଏହି ବିଷୟରେ ଦଳ ଆଲୋଚନା କରିବ ।