ଯାଜପୁର ଗ୍ରୀନ ମାର୍କେଟରେ ହୁ ହୁ ହୋଇ ଜଳିଲା ନିଆଁ । ଚାହୁଁ ଚାହୁଁ ଜଳିଗଲା ୨ଟି ପରିବା ଗୋଦାମ । ଟ୍ରାକ୍ଟର, ପିକ୍ଅପ୍ ଭ୍ୟାନ, ଟ୍ରକ ପୋଡି ପାଉଁଶ 

99

କନକ ବ୍ୟୁରୋ: ହଠାତ କେହି କିଛି ବୁଝିବା ପୂର୍ବରୁ ହୁ ହୁ ଜଳିଲା ନିଆଁ, ପୂରା ମାର୍କେଟ କଳାଧୁଆଁରେ ଭରିଗଲା । ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁ ଧୁଆଁରେ ଭୟଙ୍କର ହୋଇ ଉଠିଥିଲା ପୂରା ପରିବେଶ । ଚାହୁଁ ଚାହୁଁ ଜଳି ଯାଇଥିଲା ୨ଟି ପରିବା ଗୋଦାମ । ପୋଡି ପାଉଁଶ ହୋଇଗଲା ଗୋଦାମରେ ଥିବା ପ୍ଲାଷ୍ଟିକ୍ କଂଟେନର, କମ୍ପ୍ୟୁଟର, ପନିପରିବା, ଆସବାବପତ୍ର, ନଗଦ ଟଙ୍କା, ଅନ୍ୟାନ୍ୟ ସରଂଜାମ । ପ୍ରାୟ ୨ ଘଂଟା ଧରି ଚାଲିଥିଲା ନିଆଁର ତାଣ୍ଡବ ଲୀଳା ।

ଗୋଦାମ ନିକଟରେ ଥିବା ପିକ୍ଅପ୍ ଭ୍ୟାନ, ଟ୍ରକ ଓ ଗୋଟିଏ ଟ୍ରାକ୍ଟର ପୋଡି ପାଉଁଶ ହୋଇ ଯାଇଥିଲା । ନିଆଁକୁ ଆୟତ କରିବା ପାଇଁ ୩ଟି ଦମକଳ ବାହିନୀ ଜୋରଦାର କସରତ କରିବାକୁ ପଡିଥିଲା । ଯାଜପୁର ରୋଡ, ବୈତରଣୀ ରୋଡ୍ ଓ ଦାନଗଦି ଅଗ୍ନିଶମ ବାହିନୀର ଉଦ୍ୟମ ପରେ ଆୟତ ହୋଇଥିଲା ନିଆଁ ।

ପାଖ ଗାଡ଼ି ସୋରୁମ ଆଡକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଏପରିକି ସୋରୁମର ତୃତୀୟ ମହଲା ଉପରେ ପଡିଥିଲା ନିଆଁ ହୁଳା । ସୋରୁମଟି ଅଳ୍ପକେ ରକ୍ଷା ପାଇ ଯାଇଥିଲା । ନିକଟରେ ଥିବା ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟ ବର୍ତି ଯାଇଥିଲା । ହୋଲି ଥିବାରୁ ଗ୍ରୀନ ମାର୍କେଟ ବନ୍ଦ ଥିଲା, ବଜାରରେ ଲୋକ ମଧ୍ୟ କମ ଥିଲେ । ଖବର ପାଇବା ମାତ୍ରେ ବଜାର ଲୋକାରଣ୍ୟ ହୋଇ ଉଠିଥିଲା । କିପରି ଅଗ୍ନକାଣ୍ଡ ହେଲା କାରଣ ଜଣାପଡିନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ସଂପତି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।