ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ବିି ଲିଭିନି ଜଙ୍ଗଲ ନିଆଁ । ବନ ବିଭାଗ ପକ୍ଷରୁ ନିଆଁଲିଭା କାମ ଜାରି । ସଚେତନତା ପାଇଁ ଗାଁ ଗାଁରେ ଲାଗିଲା ପୋଷ୍ଟର ।

73

କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ଗଂଜାମ ଜିଲ୍ଲା ଭଂଜନଗର ସହର ଓ ତାର ଆଖପାଖ ଅଚଂଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଛି । ସପ୍ତାହେ ହେବ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । ଯାହାଫଳରେ ଦିନ ରାତି ଜଙ୍ଗଲ ଜଳିବା ସହିତ ଏହାର ଧୂଆଁ ଯୋଗୁଁ ଜଙ୍ଗଲ ପାଖ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଉଛି ।

ଉତ୍ତର ଘୁମୁସର ଜଙ୍ଗଲରେ ଗତ ୭ ଦିନରେ ପାଖାପାଖି ୧୧୦ ସ୍ଥାନରେ ନିଆଁ ଲାଗିଛି । ମୁଜାଗଡ଼ ବନାଚଂଳ, କେନ୍ଦ୍ରୀୟ ବନାଚଂଳ, ଗାଲେର ଓ ତାରସିଂ ରେଜଂରେ ଜଙ୍ଗଲ ଜଳୁଛି । ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଡ଼ିଏଫଓଙ୍କ ଉଦ୍ୟମରେ ସଚେତନା କାର୍ଯ୍ୟକ୍ରମ କରାଯାଉଛି । ସଚେତନତା ରଥ ବାହାର କରି ଲୋକଙ୍କୁ ଲିଫଲେଟ୍ ବାଂଟିବା ସହ ବ୍ୟାନର ଲଗାଯାଇଛି । ଏହାସହ ସ୍ଥାନେ ସ୍ଥାନେ ପ୍ରଥପାନ୍ତ ନାଟକ କରି ଲୋକଙ୍କୁ ବନ କର୍ମଚାରୀ ଓ ବନ ସଂରକ୍ଷଣ ସମିତିର ସଭ୍ୟ ସଚେତନ କରାଉଛନ୍ତି । ତାଙ୍କ ସହ କିଛି ସମାଜସେବୀ ମଧ୍ୟ ଏହି କାମରେ ଲାଗିଛନ୍ତି ।

ସେପଟେ ବଲାଙ୍ଗିଲ ସହରର ଆଖପାଖରେ ଥିବା ବିଭିନ୍ନ ପାହାଡ ଓ ତାର ପାଦଦେଶରେ ଥିବା ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ତିନି ଦିନ ହେବ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଅଭିଯୋଗ କରିଛନ୍ତି , କିନ୍ତୁ ଏଯାଏ ନିଆଁ ଲିଭି ନାହିଁ । କେତେକ ସ୍ଥାନରେ ନିଆଁ ଲିଭିଥିବା ବେଳେ ଆଉ କେତେକ ସ୍ଥାନରେ ହୁତୁ ହୁତ ହୋଇ ଜଳୁଛି ଜଙ୍ଗଲ । ବଲାଙ୍ଗିର ସହରର ଆଖପାଖରେ ଅନେକ ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ରହଛି । ଏସବୁ ଜଙ୍ଗଲରେ ନିଆଁ ଲାଗିବାରୁ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାରା ସହର ଧୂଆଁମୟ ହୋଇଯାଉଛି ।

ଅନ୍ୟପଟେ ଗାଁ ଗଣ୍ଡାର ଜଙ୍ଗଲକୁ ନିଆଁରୁ ଆୟତ କରିବା ପାଇଁ ଚାଲିଛି ଅଭିଯାନ । ମାଲକାନଗିରି ଜିଲା ମାଥିଲି ବନାଂଚଳର ଆଦିବାସୀ ଲୋକଙ୍କୁ ସଚେତନତା କରୁଛନ୍ତି ବନ ବିଭାଗ କର୍ମଚାରୀ । ଏଥିଲାଗି ଗାଁ ଗାଁରେ ପହଂଚି ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ କରୁଛନ୍ତି ସଚେତନତା । ମାଥିଲି ବନ ବିଭାଗ ତରଫରୁ ମୁଣ୍ଡାଗୁଡା ଠାରେ ନିଆଁ ଆୟତ୍ତ କରିବାକୁ ସଚେତନତା କରାଯାଇଛି । ମହୁଲ ଫୁଲ ଲାଗି ନିଆଁ ଲଗାଉଥିବାରୁ ଦିନକୁ ଦିନ ମାଲକାନଗିରି ଅଂଚଳରେ ଅଣାୟତ ହେଉଛି ଜଙ୍ଗଲ ନିଆଁ । ତେବେ ଏଥିପାଇଁ କିପରି ପ୍ରାକ୍ ପ୍ରସ୍ତୁତ କରି ନିଆଁ ଲଗାଇପାରିବେ ସେ ନେଇ ମହିଳାମାନଙ୍କୁ ତାଲିମ ଦେଇଛନ୍ତି ବନ କର୍ମଚାରୀ । ସହଜ ଉପାୟରେ ନିଆଁ ଲଗାଇଲେ ଏହି ନିଆଁକୁ ଆୟତ୍ତ କରି ହେବା ସହ ଜଙ୍ଗଲ ମୁହାଁ ହୋଇନଥାଏ ବୋଲି କହିଛନ୍ତି ମାଲକାନଗିରି ସହ ଜଙ୍ଗଲ ସଂରକ୍ଷକ ଲିଲି ଅମାନତ୍ୟ । ଆଗାମୀ ଦିନରେ ଜଙ୍ଗଲକୁ ସୁରକ୍ଷା ରଖିବା ପାଇଁ ପ୍ରତି ଗାଁରେ ସଚେତନତା କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।