ଦିଲ୍ଲୀରୁ ଛତିଶଗଡ ଯାଉଥିବା ଦୁର୍ଗ ଏକ୍ସପ୍ରେସର ୪ ଟି ବଗିରେ ନିଆଁ, କାରଣ ଅସ୍ପଷ୍ଟ

236

କନକ ବ୍ୟୁରୋ : ଦିଲ୍ଲୀରୁ ଛତିଶଗଡ ଯାଉଥିବା ଦୁର୍ଗ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ । ଟ୍ରେନର ୪ ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏଭଳି ନିଆଁ ଲାଗିଥିବା ବେଳେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଭାବେ ଟ୍ରେନରୁ ଉହ୍ଲାଇ ଆସିଥିବା କୁହାଯାଇଛି । ଟ୍ରେନଟି ମଧ୍ୟ ପ୍ରଦେଶର ମୋରେନା ଠାରେଥିବା ହେତମପୁର ଷ୍ଟେସନରେ ଅଟକି ରହିଛି । ସୂଚନା ପାଇ ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚିଛନ୍ତି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପଟେ ଗୋଟିଏ ବଗିରୁ ଅନ୍ୟ ବଗିକୁ କିଭଳି ନିଆଁ ନ ବ୍ୟାପିବ ସେନେଇ ତତ୍ପରତା ଦେଖାଇଛି ଦମକଳବାହିନୀ । ଏହାସହ ସମ୍ପୂର୍ଣ୍ଣ ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି । ହେଲେ ରେଳ ବିଭାଗର କୌଣସି ଅଧିକାରୀ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଅନୁମାନ କରାଯାଉଛି କି ଅଧିକାରୀମାନେ ପହଂଚିବା ପରେ ଯାତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଳ ବ୍ୟବସ୍ଥା କରି ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଂଚାଇବେ ।