କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ନିଆଁ ଓ ଧୁଆଁରେ ରୁନ୍ଧି ହେଉଛି ପୁରା ଅଂଚଳ । ବାଙ୍କୀ ଡମପଡା ବ୍ଲକ ଚାରିଘରିଆ ନିକଟରେ ଥିବା ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲ ନିଆଁ କେମିତି ଜଙ୍ଗଲକୁ ଗ୍ରାସ କରି ଆଗକୁ ଆଗକୁ ମାଡି ଚାଲିଛି । ଚନ୍ଦକା ଜଙ୍ଗଲର ଚାରିଘରିଆ, କଇମୁଣ୍ଡି ଅଂଚଳରେ ଲାଗିଥିବା ନିଆଁ, ଦିନ ବଢିବା ସହ ଅଭୟାରଣ୍ୟ ଭିତରକୁ ମାଡି ଯାଇଛି । ସନ୍ଧ୍ୟା ହେଉ ହେଉ ଚନ୍ଦକା ଅଭୟାରଣର କୁମାର ଖୁଂଟି ଅଂଚଳରୁ ୫ରୁ ୬ ଜାଗାରେ ନିଆଁ ଲାଗିଛି ।

Advertisment

ଚନ୍ଦକା ଜଙ୍ଗଲ ଜଳୁଥିବା ଖବର ପାଇ ଚାରିଘରିଆ ଜଙ୍ଗଲରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଅଗ୍ନିଶମବାହିନୀ । ବାଙ୍କୀ, ବାରଙ୍ଗ, ଡମପଡା ଓ ଆଠଗଡ ଅଗ୍ନିଶମ ବାହିନୀର ୪ଟି ଟିମ ଜଙ୍ଗଲ ନିଆଁକୁ ଆୟତ ଉଦ୍ୟମ କରିଥିଲେ ମଧ୍ୟ ସଫଳତା ମିଳିନାହିଁ । ଏବେ ଚନ୍ଦକା ଅଭୟାରଣ୍ୟ ଭିତରକୁ ନିଆଁ ପହଂଚିଥିବାରୁ ସ୍ଥିତି ଅଣାୟତ ହୋଇପଡିଛି । ତେଣୁ ଜଙ୍ଗଲ ନିଆଁକୁ ଲିଭାଇବାରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ ଅପିଲ କରିଛି ବନବିଭାଗ ।

କଟକ ଜିଲ୍ଲା ବାଙ୍କି ଡ଼ମପଡ଼ା ବ୍ଲକ ଚାରିଘରିଆ ନିକଟ ଚନ୍ଦକା ପାହାଡ଼ରେ ଲାଗିଥିବା ନିଆଁ ଚାହୁଁ ଚାହୁଁ ଚନ୍ଦକା ଅଭୟାରଣ୍ୟକୁ ମାଡି ଯାଇଛି । ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଯିତ ଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।