ଗ୍ୟାସ ସିଲିଣ୍ଡର ବିସ୍ପୋରଣରୁ ଜଳିଗଲା ଘର । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଘରେ ଥିବା ୫ ଲକ୍ଷ ଟଙ୍କା, ସୁନା ଗହଣା ଓ ଆସବାବପତ୍ର

248

କନକ ବ୍ୟୁରୋ: ସର୍ବସ୍ୱାନ୍ତ କଲା ନିଆଁ.. ପୋଡିଗଲା ସ୍ୱପ୍ନ.. ଜଳିଗଲା ଆଶା.. । ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଗହଣା । ଏବେ ପାଉଁଶ ତଳୁ ଖୋଜୁଛନ୍ତି ସାଇତା ସମ୍ପତି । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଚେଙ୍ଗେଇଲ ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଆଉ ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି ଗାଁର ପ୍ରମୋଦ ମଲ୍ଲିକଙ୍କ ପରିବାର ।

ଝିଅ ବାହାଘର ପାଇଁ ଘରେ ୫ ଲକ୍ଷ ଟଙ୍କା ଓ ସୁନା ଗହଣା ରଖିଥିଲେ ପ୍ରମୋଦ । ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡରରୁ ଲାଗିଥିବା ନିଆଁରେ ଜଳିଯାଇଛି ଟଙ୍କା ଓ ସୁନା ଗହଣା ଏବଂ ଆସବାବପତ୍ର । ଏହାସହ ଘରରେ ଥିବା ୨ଟି ବାଇକ୍, ୫ଟି ସାଇକେଲ ସହିତ ସବୁ ସାମଗ୍ରୀ ପୋଡିଯାଇଛି । ନିଆଁକୁ ଆୟତ କରିବାକୁ ଯାଇ ପ୍ରମୋଦଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ପ୍ରମୋଦଙ୍କ ୬ ଝିଅ ଅଛନ୍ତି । ୩ ଝିଅ ବାହା ହୋଇଥିବା ବେଳେ ଆଉ ୩ ଜଣ ଏବେ ବିବାହ କରିବାକୁ ଅଛନ୍ତି । ଝିଅ ବାହାଘର ପାଇଁ ପ୍ରମୋଦ ଘରେ ଟଙ୍କା ଓ ସୁନା ଗହଣା ରଖିଥିଲେ । ଅଗ୍ନିକାଣ୍ଡରେ ସେସବୁ ପୋଡି ଯିବା ପରେ ପୁରା ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି ।