ଶିମିଳିପାଳ ଜଙ୍ଗଲରେ ନିଆଁ । ମନ୍ତ୍ରୀ କହିଲେ, କୌଣସି ଜୀବଜନ୍ତୁଙ୍କର ହୋଇନାହିଁ କ୍ଷତି, ଶିମିଳିପାଳରେ ୧୪୦୦ ପଏଣ୍ଟରେ ଲାଗିଥିଲା ନିଆଁ । 

152

କନକ ବ୍ୟୁରୋ :  ଶିିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା । ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି  । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି  । ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି  । ୪୦ ଗାଡିକୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ବିକ୍ରମ ଆରୁଖ ।

ରାଜ୍ୟରେ ଯେଉଁ ନିଆଁ ଲାଗିଛି ତାକୁ ଅନୁଧ୍ୟାନ କରିବା ପାଇଁ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି  । ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି  । ଅତି ଆଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବେ  । ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେହିଭଳି ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି,  ନିଆଁ ଲାଗିବା ଏକ ନିୟମିତ ପ୍ରକ୍ରିୟା । ତେବେ ଏବର୍ଷ ତାପମାତ୍ର ଅଧିକ ରହିଥିବାରୁ ନିଆଁ ବ୍ୟାପକ ହୋଇଛି । କିନ୍ତୁ ଏହାକୁ ଆୟତ୍ତ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । କୌଣସି ବଡ ଗଛ ନଷ୍ଟ ହୋଇନାହିଁ, ଏପରିକି ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ । ନିଆଁ ପ୍ରତିବର୍ଷ ଲାଗିଥାଏ, ବିଭାଗ ପକ୍ଷରୁ ଏହାକୁ ଲିଭାଯାଏ ମଧ୍ୟ । ଆଉ ଏବେ ଶିମିଳିପାଳର ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ପିସିସିଏଫ୍ ।